ନୂଆଦିଲ୍ଲୀ: ଆଖି ବୁଜିଲେ ଅର୍ଥନୀତିଜ୍ଞ, ଯୋଜନା କମିସନ୍‌ର ପୂର୍ବତନ ସଦସ୍ୟ ତଥା ଦେଶର ଗ୍ରାମୀଣ ଅର୍ଥନୀତି‌ରେ ଅତ୍ୟନ୍ତ ପ୍ରବୀଣ ଅଭିଜିତ ସେନ । ସୋମବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ନୂଆଦିଲ୍ଲୀରେ ସେ ମୃତ୍ୟୁବରଣ କରିଛନ୍ତି।

ତାଙ୍କ ଭାଇ ପ୍ରଣବ ସେନ କହିଛନ୍ତି, ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍‌ଘାତ ହେଲା। ଆମେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଗଲୁ, କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ସବୁ ଶେଷ ହୋଇଯାଇଥିଲା।

୪ ଦଶନ୍ଧିରୁ ଅଧିକ କାଳ କ୍ୟାରିୟର୍‌ରେ ଅଭିଜିତ ନୂଆଦିଲ୍ଲୀର ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟର ‘ସେଣ୍ଟର୍‌ ଫର୍‌ ଇକୋନୋମିକ୍‌ ଷ୍ଟଡିଜ୍‌ ଆଣ୍ଡ୍‌ ପ୍ଲାନିଙ୍ଗ୍‌’ ରେ ଅର୍ଥନୀତି ଅଧ୍ୟାପନା କରୁଥିଲେ। ‘କମିସନ୍‌ ଅଫ୍‌ ଏଗ୍ରିକଲ୍‌ଚୁରାଲ୍‌ କଷ୍ଟ୍‌ ଆଣ୍ଡ୍‌ ପ୍ରାଇସ୍‌’ ସମତେ ସେ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ସରକାରୀ ପଦବୀରେ ରହିଥିଲେ।

ନୂଆଦିଲ୍ଲୀରେ ଏକ ବଙ୍ଗୀୟ ପରିବାରରେ ଜନ୍ମିତ ସେନ୍‌ ସର୍ଦାର୍‌ ପଟେଲ୍‌ ବିଦ୍ୟାଳୟରୁ ସ୍କୁଲ୍‌ ଶିକ୍ଷା ଶେଷ କରିବା ପରେ ପଦାର୍ଥ ବିଜ୍ଞାନ ସମ୍ମାନରେ ଡିଗ୍ରି ହାସଲ କରିବା ଲାଗି ସେଣ୍ଟ୍‌ ଷ୍ଟିଫେନ୍‌ କଲେଜରେ ପଢ଼ିଥିଲେ। ଏହା ପରେ ୧୯୮୧ରେ ସେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପି.ଏଚ୍‌ଡି. ସମାପ୍ତ କରିବା ସହ ସେଠାକାର ଟ୍ରିନିଟି ହଲ୍‌ର ସଦସ୍ୟ ହୋଇଥିଲେ।

ତାଙ୍କର ପତ୍ନୀ ଜୟତି ଘୋଷ ଏବଂ କନ୍ୟା ଜାହ୍ନବୀ ଅଛନ୍ତି। ଜନ ସେବା ପାଇଁ ୨୦୧୦ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ମୃତ୍ୟୁ ଯୋଗୁଁ କେତେକ ରାଜନେତା ଓ ଶିକ୍ଷାବିତ୍‌ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।