ଭୁବନେଶ୍ବର : ଆଜିଠୁ ଆରମ୍ଭ ବି.ଟେକ୍‌, ବି. ଆର୍କିଟେକ୍‌, ବି.ପ୍ଲାନ୍‌, ବି.କାଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପରି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟା । ଅପରାହ୍ନ ୫ଟାରୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଚଏସ୍‌ ଫିଲିଂ କରିପାରିବେ। ଚଏସ୍‌ ଫିଲିଂ ଆଧାରରେ ୨୨ ତାରିଖ ଅପରାହ୍ନ ୫ଟାରେ ମକ୍‌ ସିଟ୍‌ ଆ‌ଲଟ୍‌ମେଣ୍ଟ-୧ ତାଲିକା ପ୍ରଦର୍ଶିତ ହେବ। ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ପ୍ରାର୍ଥୀମାନଙ୍କ ଲାଗି ଚଏସ୍‌ ଲକିଂ ସୁବିଧା ଉପଲବ୍ଧ ହେବ, ଯାହାକି ୨୫ ତାରିଖ ପୂର୍ବାହ୍ନ ୧୧ଟା ଯାଏ ଚାଲିବ। ୨୬ରୁ ୨୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ କରାଯିବା ସହ ଅକ୍ଟୋବର ପହିଲାରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟମେଣ୍ଟ ଅନୁଷ୍ଠିତ ହେବ। ଅକ୍ଟୋବର ୧ରୁ ୮ ମଧ୍ୟରେ ଅନ୍‌ଲାଇନ୍‌ ରିପୋର୍ଟିଂ ଯଥା ପାର୍ଟ ଟାଇମ୍‌ ନାମଲେଖା ଫି’, ଡକ୍ୟୁମେଣ୍ଟ ଅପଲୋଡ୍‌ ଆଦି କରିବେ। ୨ରୁ ୧୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରି ଯାଇପାରିବେ। ଅକ୍ଟୋବର ୧୪ରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆ‌ଲଟ୍‌ମେଣ୍ଟ ଅନୁଷ୍ଠିତ ହେବ। ୧୫ରୁ ୧୯ ମଧ୍ୟରେ ପୂର୍ବରୁ ପଞ୍ଜୀକରଣ କରି ନ ଥିବା ସ୍ବତନ୍ତ୍ର ଓଜେଇଇ ବି.ଟେକ୍‌ /ଜେଇଇ ମେନ୍‌ ରୢାଙ୍କଧାରୀ ପଞ୍ଜୀକରଣ କରିପାରିବେ। ୧୪ରୁ ୧୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ରିପୋର୍ଟିଂ କରିବେ। ୧୫ରୁ ୨୦ ତାରିଖ ମଧ୍ୟରେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରି ଯାଇପାରିବେ। ୨୨ ତାରିଖରେ ଚୂଡ଼ାନ୍ତ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୨୪ ତାରିଖ ମଧ୍ୟରେ ପାର୍ଟ ଟାଇମ୍‌ ନାମଲେଖା ଫି’, ଡକ୍ୟୁମେଣ୍ଟ ଅପଲୋଡ୍‌ ଆଦି କରିପାରିବେ।

ଅନ୍ୟପକ୍ଷରେ ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌ ଓ ଏମ୍‌.ପ୍ଲାନ୍‌ ପାଠ୍ୟକ୍ରମ ଲାଗି ଆଜିଠାରୁ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ ଆରମ୍ଭ ହୋଇଛି, ଯାହାକି ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅକ୍ଟୋବର ୮ରେ ପଞ୍ଜୀକରଣ ଓ ଚଏସ୍‌ ଲକିଂ ଶେଷ ହେବ। ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୧୦ରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ରିପୋର୍ଟିଂ କରିପାରିବେ। ୧୧ରୁ ୧୫ ତାରିଖ ମଧ୍ୟରେ ସିଟ୍‌ ଆଲୋକେସନ୍‌ ପ୍ରକ୍ରିୟାରୁ ପ୍ରାର୍ଥୀ ଓହରିପାରିବେ। ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆଲ୍‌ଟମେଣ୍ଟ ସହ ୨୨ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ରିପୋର୍ଟିଂ କରିପାରିବେ। ୨୦ରୁ ୨୩ ତାରିଖ ମଧ୍ୟରେ ପ୍ରକ୍ରିୟାରୁ ଓହରିପାରିବେ। ଏହି ସମୟ ମଧ୍ୟରେ ପୂର୍ବରୁ ପଞ୍ଜୀକରଣ କରି ନ ଥିବା ସ୍ବତନ୍ତ୍ର ଓଜେଇଇ ବି.ଟେକ୍‌/ଜେଇଇ ମେନ୍‌ ରୢାଙ୍କଧାରୀ ପଞ୍ଜୀକରଣ କରିପାରିବେ। ୨୫ ତାରିଖରେ ଚୂଡ଼ାନ୍ତ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ହେବ ଏବଂ ୨୫ ଓ ୨୬ ତାରିଖରେ ଅନ୍‌ଲାଇନ୍‌ ରିପୋର୍ଟିଂ କରାଯାଇପାରିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।