ଚଣ୍ଡିଗଡ: ଅଶାନ୍ତ ହୋଇପଡିଛି ମୋହାଲି ସ୍ଥିତ ଚଣ୍ଡିଗଡ ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟର ୬୦ ଜଣ ଛାତ୍ରୀଙ୍କ MMS ଭାଇରାଲ ହୋଇଛି । ଏଠାରେ ପଢୁଥିବା ଜଣେ ଛାତ୍ରୀ ଅନ୍ୟ ଛାତ୍ରୀଙ୍କମାନଙ୍କ ଗାଧୋଇବା ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହିତ ସମ୍ପୃକ୍ତ ଛାତ୍ରୀ ଭିଡିଓଗୁଡିକୁ ନିଜର ଜଣେ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି । ନିଜର ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ କଲେଜର ୬୦ ଛାତ୍ରୀଙ୍କୁ ମଧ୍ୟରେ ୮ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ରାତିରେ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ହଙ୍ଗାମା ହୋଇଛି ।
ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ସେପଟେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଛାତ୍ରୀ ଅଚେତ ହୋଇଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ସେହି ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ହରଜୋତ ସିଂହ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ”ଅଭିଯୁକ୍ତ ଖସି ଯାଇପାରିବ ନାହିଁ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହା ଆମ ଭଉଣୀମାନଙ୍କ ସମ୍ମାନ ସହ ଜଡିତ ବିଷୟ । ତେଣୁ ଆମକୁ ସତର୍କତା ସହ କାର୍ଯ୍ୟ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।”
