ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବେ ଏକ ବଡ଼ ସମସ୍ୟା ରେ ଛନ୍ଦି ହୋଇପାରନ୍ତି । ଆଇଆରସିଟିସି ଅନିୟମିତତା ମାମଲାରେ ତେଜସ୍ୱୀ ୨୦୧୯ରୁ ଜାମିନରେ ମୁକୁଳିଛନ୍ତି। ତେବେ ଗତ ଅଗଷ୍ଟ ୨୫ ତାରିଖ ଦିନ ତେଜସ୍ୱୀ ଯାଞ୍ଚ ଏଜେନ୍ସୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ହିଁ ତାଙ୍କୁ ଏହି ସମସ୍ୟାକୁ ଭିଡି ନେଇଛି ଓ ଗିରଫଦାରୀ ପାଇଁ ଯାଞ୍ଚ ଏଜେନ୍ସୀ ଏବେ କୋର୍ଟରେ ପହଞ୍ଚିଛନ୍ତି।

ତେଜସ୍ୱୀ ଯାଞ୍ଚ ଏଜେନ୍ସୀଙ୍କ ବିରୋଧରେ ଦେଇଥିବା ବୟାନକୁ ସିବିଆଇ କୋର୍ଟରେ ଉପସ୍ଥାପିତ କରିଥିବା ବେଳେ ପକ୍ଷ ଶୁଣିବା ପରେ କୋର୍ଟ ଜବାବ ରଖିବା ପାଇଁ ତେଜସ୍ୱୀଙ୍କୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏଥିରେ ଯଦି ତେଜସ୍ୱୀ ତାଙ୍କ ଉତ୍ତରରେ କୋର୍ଟଙ୍କୁ ସନ୍ତୁଷ୍ଟ କରି ନ ପାରନ୍ତି ହୁଏତ କୋର୍ଟ ଜାମିନ୍ ଖାରଜ କରିପାରନ୍ତି। ଯଦି ଏପରି କିଛି ହୁଏ ତେବେ ତେଜସ୍ୱୀଙ୍କ ଉପରେ ଗିରଫ ପାଇଁ ଖଣ୍ଡା ଝୁଲୁଛି।

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ମାସ ୨୫ ତାରିଖ ଦିନ ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ତେଜସ୍ୱୀ ସିବିଆଇ ଓ ଏହାର ଅଧିକାରୀଙ୍କୁ ନେଇ ଅନେକ ପ୍ରଶ୍ନ କରିଥିଲେ। ଏଥିରେ ସେ ସିବିଆଇ ଅଧିକାରୀଙ୍କର କଣ ମା ଓ ପିଲାପିଲି ନାହାନ୍ତି, ସେମାନଙ୍କ ପରିବାର ନାହିଁକି , କଣ ସବୁଦିନ ସିବିଆଇରେ ଥିବେ, ଚାକିରୀରୁ ଅବସର ନେବେନି, ସବୁଦିନ କଣ ଗୋଟିଏ ରାଜନୈତିକ ଦଳ କ୍ଷମତାରେ ଥିବ ? ଏଥିରେ ଭଲ ସମ୍ବିଧାନର ପାଳନ କରବୋଲି ତେଜସ୍ୱୀ କହିଥିଲେ। ତେବେ ତାଙ୍କ ବୟାନ ଉପରେ ସିବିଆଇ ଆପତ୍ତି କରିଛି।

ଏ ନେଇ ସିବିଆଇ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ମାମଲାରେ ଜବାବ ରଖିବା ପାଇଁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ତେଜସ୍ୱୀଙ୍କୁ ସମୟ ଦେଇଛନ୍ତି। ଏଥିରେ ଯଦି ତେଜସ୍ୱୀଙ୍କ ଉତ୍ତର ଯଦି କୋର୍ଟଙ୍କୁ ସନ୍ତୁଷ୍ଟ କରି ନ ପାରିଲା ତେବେ ଜାମିନ ଅଗ୍ରାହ୍ୟ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଗିରଫ ମଧ୍ୟ ହୋଇପାରନ୍ତି । ଯଦି ଏପରି କୌଣସି ପରିସ୍ଥିତି ଉପୁଜେ ତେବେ ତେଜସ୍ୱୀ ଉଚ୍ଚ ନ୍ୟାୟାଳୟରେ ଆଣ୍ଟିସିପେଟରୀ ଜାମିନ ଆବେଦନ କରିପାରନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।