ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ବିହାରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜପ୍ରତାପ ଯାଦବ ରାଗ ତମତମ ହୋଇ ବୈଠକରୁ ଉଠି ପଳାଇ ଯାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳର ନେତା ଶ୍ୟାମ ଯାଦବ ଆର୍‌ଏସ୍‌ଏସ୍‌ର ଏଜେଣ୍ଟ। ସେ ତାଙ୍କ ଭଉଣୀକୁ ଗାଳି ଦେଇଛନ୍ତି, ତା’ର ଅଡିଓ ରେକର୍ଡ ତାଙ୍କ ପାଖରେ ଅଛି ଓ ଏହି ରେକର୍ଡକୁ ସେ ସୋସିଆଲ ମିଡ଼ିଆରେ ପ୍ରକାଶ କରିବେ ବୋଲି ମଧ୍ୟ କହିଛନ୍ତି।

ତେଜ ପ୍ରତାପ କହିଛନ୍ତି ଯେ, ଯେତେବେଳେ ସେ ଓ ତାଙ୍କ ଭଉଣୀ କାର୍ଯ୍ୟକ୍ରମ ବିଷୟରେ ଶ୍ୟାମ ରଜକଙ୍କୁ ପଚାରିଲେ ସେ ଉତ୍ତର ଦେବା ବଦଳରେ ଗାଳି କରିଥିଲେ। ତାଙ୍କ ଭଉଣୀ ଓ ପିଏଙ୍କୁ ସେ ଗାଳି ଦେଇଛନ୍ତି। ସେ ଆର୍‌ଏସ୍‌ଏସ୍‌ ଓ ବିଜେପିର ଏଜେଣ୍ଟ। ଏପରି ଲୋକକୁ ଦଳରୁ ବାହାର କରିଦେବା ଉଚିତ ବୋଲି ସେ କହିଛନ୍ତି। ବୈଠକ ଅଧାରୁ କାହିଁକି ଉଠିଆସିଲ ବୋଲି ପଚାରିବାରୁ ତେଜ ପ୍ରତାପ କହିଥିଲେ ଯେ ସେଠାକୁ ଗାଳି ଶୁଣିବାକୁ ସେ ଯାଇ ନ ଥିଲେ। ଅପରପକ୍ଷେ ଶ୍ୟାମ ରଜକ ତେଜ ପ୍ରତାପଙ୍କ ଅଭିଯୋଗ ଉପରେ କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଦେଇଛନ୍ତି।

ରବିବାର ଆରମ୍ଭ ହୋଇଥିବା ଆର୍‌ଜେଡିର ଦ୍ବିଦିବସୀୟ ରାଷ୍ଟ୍ରୀୟ ବୈଠକର ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଏହି ବୈଠକର ପ୍ରଥମ ଦିବସରେ ଦଳର ରାଜ୍ୟ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ଯୋଗ ଦେଇ ନାହାନ୍ତି। ତାଙ୍କ ପୁଅଙ୍କୁ ନୀତୀଶ କୁମାର ସରକାରରେ କୃଷି ମନ୍ତ୍ରୀରୁ ଇସ୍ତଫା ଦେବାକୁ କୁହାଯିବା ପରେ ଦଳର ଶୀର୍ଷ ନେତୃତ୍ବ ଉପରେ ସେ ଅସନ୍ତୁଷ୍ଟ ଅଛନ୍ତି। ତେବେ ବୈଠକର ଦ୍ବିତୀୟ ଦିବସରେ ଲାଲୁ ପ୍ରସାଦ ଯାଦବ ଜଣେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇପାରନ୍ତି ବୋଲି କୁହାଯାଉଛି।