ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ସିବିଆଇର ପଚରାଉଚରା ପରେ ଆମ ଆଦମୀ ପାର୍ଟି ଭାଜପାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛି। ଆପର ମୁଖପାତ୍ର ତଥା ବିଧାୟକ ସୌରଭ ଭରଦ୍ୱାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଏ ଡିଟେକ୍ଟର ଟେଷ୍ଟ୍ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।
ସେ କହିଛନ୍ତି ଯେ, ସିବିଆଇ ମିଥ୍ୟା ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ପଚରାଉଚରା କରିଥିଲା। ଭାଜପା ସିସୋଦିଆଙ୍କ ଲାଏ ଡିଟେକ୍ଟର ଟେଷ୍ଟ୍ ପାଇଁ ଦାବି କରୁଛି। ତେବେ ମୋର ବିଶ୍ୱାସ ଯେ ଦେଶର ସବୁଠାରୁ ବଡ ମିଥ୍ୟାବାଦୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଥିପାଇଁ ପ୍ରଥମେ ତାଙ୍କର ଲାଏ ଡିଟେକ୍ଟର ଟେଷ୍ଟ୍ କରାଯିବା ଜରୁରୀ ବୋଲି ସେ କହିଛନ୍ତି।
ସୌରଭ ଆହୁରି କହିଛନ୍ତି ଯେ, ମୋଦି କହିଥିଲେ ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ଗୁଡିକ ନିରପେକ୍ଷ ଅଟନ୍ତି । ତେବେ ଏହାକୁ ମୁଁ ମୋଦିଙ୍କର ସବୁଠାରୁ ବଡ ମିଥ୍ୟା ବୋଲି ଭାବୁଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲାଏ ଡିଟେକ୍ଟର ଟେଷ୍ଟ୍ ପାଇଁ ଆହ୍ବନ ଦଉଛି। ସେ କହିଛନ୍ତି ଯେ, ଦିଲ୍ଲୀରେ ଘଟୁଥିବା ଘଟଣାର ବିବରଣୀ ଏବେ ଚାଲିଥିବା ଇଣ୍ଟରପୋଲ ବୈଠକରେ ପ୍ରଧାନମନ୍ତ୍ରୀ ଦେବା ଉଚିତ।
ତେବେ ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ର ମଙ୍ଗଳବାର ସିସୋଦିଆଙ୍କର ଲାଏ ଡିଟେକ୍ଟର ଟେଷ୍ଟ୍ ପାଇଁ ଦାବି କରିଥିଲେ। ସିବିଆଇ ତାଙ୍କୁ ଆମ ଆଦମୀ ପାର୍ଟି ଛାଡିବାକୁ ଚାପ ପକାଉଛି ବୋଲି ସିଶୋଦିଆ ମନ୍ତବ୍ୟ ଦେବାପରେ କପିଲ ଏଭଳି କହିଛନ୍ତି। ସିବିଆଇ ବିରୋଧରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରି ସିସୋଦିଆ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।
