ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ରାଜରାସ୍ତାରେ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ। ହାତରେ ପ୍ଲାକାର୍ଡ ଧରି ନୀରବତାର ସହ ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ରାଜଧାନୀ ରାଜରାସ୍ତାରେ ପଦଯାତ୍ରା କରି ନିଆରା ଭାବରେ ପ୍ରତିବାଦ କରିଛନ୍ତି ପ୍ରଯୋଜକ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଓଡ଼ିଆ ସିନେମା ତିଆରି କରୁଛନ୍ତି ହେଲେ ଲାଭ ତ ଦୂରର କଥା ମୁଳ ମଧ୍ୟ ଉଠୁନି ।ସିନେମା ଚାଲିବା ପାଇଁ ହଲ ମିଳୁ ନଥିବା ବେଳେ କଣ ସିନେମା ହେଉଛି ଦେଖିପାରୁ ନାହାଁନ୍ତି ଦର୍ଶକ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଅଭିନବ ପ୍ରତିବାଦ ।
ଜୟଦେବ ଭବନ ଠାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନୀରବ ପ୍ରତିବାଦ ଜଣାଇଛନ୍ତି ପ୍ରଜୋଜକ । ସିନେମା ଶିଳ୍ପ ପ୍ରତି ସରକାର ଉଦାର ହେବାକୁ ଦାବି କରିଛନ୍ତି । ଓଡ଼ିଆ ସିନେମା ପାଇଁ ଓଡ଼ିଶାରେ ହଲ ନାହିଁ । ୨୦୦୮ରୁ ମିଳୁନି ସବସିଡି ସୁବିଧା । ଏଭଳି ସ୍ଥିତିରେ ଏବେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ସନ୍ଦିହାନ ପ୍ରଯୋଜକ । ଓଡ଼ିଆ ସିନେମା ଉନ୍ନୟନ ପରିଷଦରେ ଜଣକ ପରେ ଜଣେ ଥଇଥାନ ହେଉଛନ୍ତି ପଛେ ସିନେମା ଶିଳ୍ପର ଭାଗ୍ୟ ଓ ଭବିଷ୍ୟ ବଦଳୁନି। ଆଗରୁ ଯେତିକି ଓଡ଼ିଆ ଫିଲ୍ମ ନିର୍ମାଣ ହେଉଥିଲା, ଏବେ ତାର ସଂଖ୍ୟା ବଢ଼ିଛି । କିନ୍ତୁ ସିନେମା ହଲରେ ଓଡ଼ିଆ ସିନେମା ବଦଳରେ ଅଣଓଡ଼ିଆ ସିନେମା ରାଜ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସେପଟେ ସରକାର ଏନେଇ ନିଦାବିଷ୍ଣୁ ସାଜିଥିବା ବେଳେ ଓଡ଼ିଆ ସିନେମା ଶିଳ୍ପ ବୁଡିବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି । ଭଲ କାହାଣୀ ଥାଇ ଓଡ଼ିଆ ସିନେମା ନିର୍ମାଣ ହେଉଛି ହେଲେ ଲୋକେ ଦେଖିପାରୁ ନାହାଁନ୍ତି । କପି ପେଷ୍ଟର ଟ୍ରେଣ୍ଡ ଭିତରେ ଭଲ ସିନେମା ସ୍ଥାନ ପାଉନି । ଫଳରେ ନୂଆ ଓଡ଼ିଆ ସିନେମା ଦେଖି ପାରୁନାହାଁନ୍ତି ଦର୍ଶକ । ସଂଚିତ ପୁଂଜିରେ ଜଣେ ସିନେମା ନିର୍ମାଣ କଲେ ତ କଥା ସରିଲା । ଏମିତିରେ ସିନେମା ନିର୍ମାଣ କରୁଥିବା ପ୍ରଯୋଜକ ମାନେ ଆଉ ସିନେମା କେମିତି ନିର୍ମାଣ କରିବେ ସେଇ ଚିନ୍ତାରେ । ତେଣୁ ଏ ଦିଗରେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପ୍ରଯୋଜକ ସମୁହ ।
ଅନ୍ୟପଟେ, ଓଡ଼ିଆ ସିନେମାକୁ ଦେଖିବା ଓ ଏହାର ଉନ୍ନତୀ ପାଇଁ ଅନେକ କଳାକାର ମଧ୍ୟ ପ୍ରଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଆ ସିନେମାର ମୌଳିକତା ବିଷୟରେ ଦର୍ଶକଙ୍କୁ କଳାକାର ମାନେ ବୁଝାଉଛନ୍ତି । ଅଭିନେତା ମନୋଜ ମିଶ୍ର ନିଜ ସୋସିଆଲ ପେଜ୍ ରେ ଲାଇଭ୍ ଆସି କିଛି ସିନେମାର ଉଦାହରଣ ଦେଇ କହିଥିଲେ ଯେ, ଆମେ ଖୁବ ଭଲ ସିନେମା ପ୍ରସ୍ତୁତ କରୁଛୁ । କେବଳ ଦର୍ଶକେ ଥରେ ସିନେମା ହଲରେ ବସି ସିନେମା ଦେଖିଲେ ହେଲା । ସିନେମା ନଦେଖି ଓଡ଼ିଆ ସିନେମା ବିଷୟରେ ଅନେକ କହୁଛନ୍ତି । କିନ୍ତୁ ଓଡ଼ିଶାରେ ମଧ୍ୟ ଖୁବ ଭଲ ସିନେମା ନିର୍ମାଣ କରାଯାଉଛି ।





