ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭିଜିଲାନ୍ସ ଜାଲରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଧିକାରୀ । ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା ଏକ ଘରୋଇ ଗାଡ଼ିରେ ଲକ୍ଷାଧିକ ଟଙ୍କା ଧରି ଯାଉଥିବାବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁସାରେ, କୋଟଗଡ଼ ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା ରବିବାର ବିପୁଳ ଟଙ୍କା ସହ ଫୁଲବାଣୀ ଆଡକୁ ଆସୁଥିବା ଖବର ପାଇଥିଲା ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲେ। ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରେ ଏକ ଲକ୍ଷ ୪୫ହଜାର ଟଙ୍କା ମିଳିଥିଲା। ଜବତ ଟଙ୍କା ସମ୍ପର୍କରେ ଲେଙ୍କା କୌଣସି ସନ୍ତୋଷ ଜନକ ଉତ୍ତର ଦେବାକୁ ସକ୍ଷମ ହୋଇ ନ ଥିଲେ। ଭିଜିଲାନ୍ସ ଡିଏସପି ଅରୁଣ ନାୟକଙ୍କ ସୂଚନା ଅନୁସାରେ ଥାନା ଅଧିକାରୀ ଏହି ଟଙ୍କା ଦଶହରା ସମୟରେ ବିଭିନ୍ନ ସୂତ୍ରରୁ ଆଦାୟ କରିଛନ୍ତି। ଗାଡିରୁ ଟଙ୍କା ଜବତ ହେବାପରେ ଶ୍ରୀ ଲେଙ୍କାଙ୍କୁ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇ ଅଧିକ ପଚରାଉଚୁରା କରାଯାଉଥିବା ଡିଏସପି ନାୟକ ସୂଚନା ଦେଇଛନ୍ତି।