ଭୁବନେଶ୍ବର: ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଯାଇଛି। ଫଳରେ ଏହା ଅନେକ ସ୍ଥାନରେ ଦୃଶ୍ୟମାନ ହୋଇଛି । ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଛି। ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଛି। ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ। ମାତ୍ର ସୂର୍ଯ୍ୟୋପରାଗର କାଳ ପରାଗ ଲାଗିବା ପୂର୍ବରୁ ଆରମ୍ଭ ହୋଇଯାଇଛି।
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ବା ପରାଗକୁ ଅଶୁଭ ଘଟଣାରେ ଗଣତି କରାଯାଇଥାଏ। ଏହି କାରଣରୁ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ ଓ ପୂଜାପାଠ ବାରଣ କରାଯାଇଥାଏ। କୁହାଯାଇଥାଏ ଯେ, ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ପୀଡିତ ହୋଇଯାଆନ୍ତି। ଭାରତରେ ସୂର୍ଯ୍ୟୋପରାଗ ଅପରାହ୍ନ ପାଖାପାଖି ୪ଟା ୨୯ ମିନିଟରେ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ୨୬ମିନିଟରେ ସର୍ବମୋକ୍ଷ ହେବ।
କେଉଁଠି କେତେବେଳ ଯାଏଁ ସୂର୍ଯ୍ୟୋପରାଗ
ନୂଆଦିଲ୍ଲୀ: ୪ଟା ୨୮ରୁ ୫ଟା ୪୨
ମୁମ୍ବାଇ: ୪ଟା ୨୯ରୁ ୬ଟା ୯
ଚେନ୍ନାଇ: ୫ଟା ୧୩ରୁ ୫ଟା ୪୫
କୋଲକାତା: ୪ଟା ୫୧ରୁ ୫ଟା ୪
ହାଇଦ୍ରାବାଦ୍: ୪ଟା ୫୮ରୁ ୫ଟା ୪୮
ବେଙ୍ଗାଲୁରୁ: ୫ଟା ୧୨ରୁ ୫ଟା ୫୬
ଭୋପାଳ: ୪ଟା ୪୨ରୁ ୫ଟା ୪୭
ତେବେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଛି। ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ। କିନ୍ତୁ ବୁଧବାର ସୂର୍ଯ୍ୟୋଦୟ ପରେ ଦେବନୀତି ଆରମ୍ଭ ହେବ। କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ତେବେ ଏହି ସୂର୍ଯ୍ୟ ପରାଗ ଦେଖିବା ପାଇଁ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତିମାନେ ଦେଖିପାରିବେ। ସେମାନଙ୍କ ଚନ୍ଦ୍ର ଶୁଦ୍ଧି ଥିବାରୁ ଏହା ଦେଖିବା ସେମାନଙ୍କ ପାଇଁ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ବିଷାରଦମାନେ ପ୍ରକାଶ କରିଛନ୍ତି।
