ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଧର୍ମେନ୍ଦ୍ର ପ୍ରଚାର କରୁଛନ୍ତି। ଆଜି ଓ କାଲି ଦୁଇ ଦିନ ବିଭିନ୍ନ ପଂଚାୟତ ବୁଲି ପଦଯାତ୍ରା ମାଧ୍ୟମରେ ସୂରଜଙ୍କ ପାଇଁ ସେ ପ୍ରଚାର କରିବେ । ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ।ଧାମନଗର ଏନ୍ଏସିର ମେଡିକାଲ ବଜାର, କୋଠାର ଗ୍ରାମପଞ୍ଚାୟତର କୋଠାର ଛକ ଓ ଅସୁରାଳିରେ ମଧ୍ୟ ପ୍ରଚାର କରିବେ । ପରେ ସହିଦ ନଗର ସ୍ଥିତ ଲୁଣିଆ ସହିଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ।
ସେହିପରି ଆସନ୍ତାକାଲି ଶ୍ରୀ ପ୍ରଧାନ ତିହିଡି ବ୍ଲକର ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଆଜି ପ୍ରଚାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଧାମନଗରକୁ ପ୍ରଚାରରେ ଆସିବେ ବୋଲି ଜଣାପଡିଛି।
ଅନ୍ୟପଟେ କଂଗ୍ରେସ ଓ ବିଜେଡି ମଧ୍ୟ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ପ୍ରଚାର କରିଥିବା ବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ ଦଳର ବିଭିନ୍ନ ନେତା ସେଠାରେ ପ୍ରଚାରର ମଙ୍ଗ ଧରିଛନ୍ତି । ସେହିପରି ବିଜେଡି ତରଫରୁ ଦଳର ଅନେକ ସାଂସଦ,ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଧାମନଗରରେ ଡେରା ପକାଇ ପ୍ରଚାର ଚଳାଇଛନ୍ତି। ଆସନ୍ତା ୩୧ ତାରିଖରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେଡି ରୁ ଅସନ୍ତୁଷ୍ଟ ହୋଇ ସ୍ଵାଧୀନ ଭାବେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ଆସନ୍ତା ୧ ତାରିଖରେ ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବାବେଳେ ସମସ୍ତ ପ୍ରାର୍ଥୀ ଓ ଦଳୀୟ ନେତାମାନେ ଏହି ନିର୍ବାଚନ ଜିତିବାକୁ ସମସ୍ତ ବଳ ଲଗାଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତା ମାସ ୩ ତାରିଖରେ ଧାମନଗର ଉପନିର୍ବାଚନଲାଗି ଭୋଟ୍ଗ୍ରହଣ ହେବ ଏବଂ ୬ ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୩୮ହଜାର ୪୧୭ ଭୋଟର ୨୫୨ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ ।
