ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠୁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗୁ କରାଯାଇଛି । ନଭେମ୍ବର ୧ ତାରିଖ ପାଖରୁ ମେ’ ୩୧ ତାରିଖ ଆମାଗୀ ୭ ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ସମୁଦ୍ର ଉପକୂଳରୁ ୨୦ ନଟିିକାଲ୍ ମାଇଲ୍ ମଧ୍ୟରେ ଟ୍ରଲର୍ ଗୁଡ଼ିକୁ ମାଛ ମାରିବାରେ କଟକଣା ଲଗା ଯାଇଥିବାରୁ ପୁଣି ଥରେ ମତ୍ସ୍ୟଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଅଲିଭ୍ରିଡ୍ଲେ କଇଁଛଙ୍କ ପ୍ରଜନନ ଲାଗି ଲଗାଯାଇଥିବା ଏହି କଟକଣାକୁ ୨୦ ନଟିକାଲ୍ ମାଇଲ୍ରୁ ୧୦ ନଟିକାଲ୍ ମାଇଲ୍କୁ କମାଇବାକୁ ମତ୍ସ୍ୟଜୀବୀ ମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିବା ବେଳେ ଏଥର ମଧ୍ୟ ତାଙ୍କ ଦାବିକୁ ଅଣଦେଖା କରାଯାଇଛି ।
ଆଜିଠୁ ୭ ମାସ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଅଲିଭ୍ରିଡ୍ଲେ କଇଁଛଙ୍କ ପ୍ରଜନନ ଲାଗି ସମୁଦ୍ରରେ ମାଛଧରା କଟକଣା ଲାଗୁ ହୋଇଛି । ଏହି ଅଞ୍ଚଳକୁ ଅଭୟାରଣ୍ୟ ଘୋଷିତ କରାଯାଇଥିବାରୁ ଏହି ଜଳସୀମାରେ ପ୍ରବେଶ କରି ମାଛ ମାରିବାକୁ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଇଛି । ଏହି କ୍ରମରେ ପାରାଦୀପ ମାଛଧରା ବନ୍ଦରରେ ଥିବା ୭ ଶହ ପାଖାପାଖି ଟ୍ରଲର୍ ଯଦିଓ ସମୁଦ୍ରକୁ ମାଛ ମାରିବାକୁ ଯିବେ, କିନ୍ତୁ ୨୦ ନଟିକାଲ୍ ମାଇଲ୍ ମଧ୍ୟରେ ମାଛ ମାରି ପାରିବେ ନାହିଁ । ତେଣୁ ମତ୍ସ୍ୟଜୀବୀ ମାନେ ଏହାକୁ ନେଇ ଏବେଠୁ ଚିନ୍ତାରେ ପଡ଼ିଲେଣି ।
ସେହିପରି ବିଶ୍ୱପ୍ରସିଦ୍ଧ ଅଲିଭ୍ରିଡ୍ଲେ କଇଁଛଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମଧ୍ୟ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ରାଜନଗର ବନବିଭାଗ ପକ୍ଷରୁ ଆଗନ୍ତୁକ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି । କଟକଣା ସମୟରେ ବନବିଭାଗ ସହିତ ତଟରକ୍ଷୀ ବାହିନୀ, ରାଜ୍ୟ ମତ୍ସ୍ୟ ବିଭାଗ ସହଯୋଗ କରିବେ । ରାଜନଗର ବନ ବିଭାଗ ପକ୍ଷରୁ ବାବୁବାଲି ଦ୍ୱୀପ ଏବଂ ମାଦଳି ମୁହାଣଠାରେ ଦୁଇଟି କ୍ୟାମ୍ପ୍ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ୟାମ୍ପ୍ରେ ୨୦ ଜଣ ବନ କର୍ମଚାରୀ ସଜାଗ ରହିବେ । ଏହାଛଡ଼ା ହବାଳିଖଟି, ସାତଭାୟା, ଦୋବନ୍ଧି, ନାସୀ ୧, ନାସୀ ୨, ଚିଞ୍ଚିରି, ମାଦଳି ଆଦି ୧୪ଟି ସ୍ଥାନରେ ପ୍ରୋଟେକ୍ସନ କ୍ୟାମ୍ପ୍ରେ ୨୮ ଜଣ ବନ କର୍ମଚାରୀ ସାମିଲ ହେବେ । ବନ କର୍ମଚାରୀଙ୍କ ସହିତ ଏପିଆର୍ ଫୋର୍ସ ପାଟ୍ରୋଲିଂରେ ଯିବେ ।
ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଏପିଆର୍ ଫୋର୍ସ ବାବୁବାଲିଠାରେ ରହିବେ । ଶାସନପେଟାରେ ସ୍ପିଡ୍ ବୋଟ୍, ମାଦଳିରେ ଅଲଭିୟା, ବାବୁବାଲିଠାରେ ଡିପିସିଏଲ୍ ପକ୍ଷରୁ ଦିଆଯାଉଥିବା ଟ୍ରଲର, ମାଦଳି ଓ କାଳିଭଂଜଡିଆରେ ଭଡ଼ାରେ ଆସିଥିବା ଦୁଇଟି ଟ୍ରଲର ପାଟ୍ରୋଲିଂରେ ସାମିଲ ହେବ । ଏହି ଅବସରରେ ହବାଳିଖଟିରୁ ସାତଭାୟା, ବରୁଣେଇରୁ ଦୋବନ୍ଧି ୨୦ କିମି ବେଳାଭୂମି ସଫେଇ କରାଯିବ । ଚଳିତବର୍ଷ ନୂତନ ଭାବେ ଜଟାଧାରୀ ଓ ହାୱାଖାନାରେ ଦୁଇଟି ଅସ୍ଥାୟୀ ହାଚେରି ନିର୍ମାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କଇଁଛଙ୍କ ମିଳନ ପ୍ରକ୍ରିୟା ଓ ଅଣ୍ଡାଦାନ ସମୟରେ ଉଜ୍ୱଳ ଆଲୋକ ବନ୍ଦ କରିବା ପାଇଁ ଡିଆର୍ଡିଓକୁ ମଧ୍ୟ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି ।





