ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ନେତା ସୁଧୀର ଶୁରୀଙ୍କୁ ଶୁକ୍ରବାର ଅମୃତସରରେ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଗୋପାଳ ମନ୍ଦିର ବାହାରେ ଥିବା ଏକ ଡଷ୍ଟବିନରୁ ଭଗବାନଙ୍କ ମୂର୍ତ୍ତି ମିଳିବା ଘଟଣାରେ ମନ୍ଦିର ବାହାରେ ଧାରଣା ଦେଇଥିଲେ। ଏହି ସମୟରେ ଭିଡ ଭିତରୁ କେହି ତାଙ୍କ ଉପରକୁ ଗୁଳି ଚଳାଇଥିଲା।
ତେବେ ଗତ କିଛି ଦିନ ହେଲା ସୁଧୀର ଶୁରୀଙ୍କ ଉପରେ ଆକ୍ରମଣ ଲାଗି ଦୁର୍ବୃତ୍ତ ଯୋଜନା କରୁଥିଲେ। ଗତମାସରେ ଗିରଫ ଗ୍ୟାଙ୍ଗଷ୍ଟାରକୁ ପଚରା ଉଚରା ବେଳେ ଏହି କଥା ଜଣାପଡିଥିଲା। ଗତମାସରେ ପଞ୍ଜାବ ଏସଟିଏଫ ଓ ଅମୃତସର ପୋଲିସର ଜଏଣ୍ଟ ଅପରେସନରେ ୪ ଜଣ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରାଯାଇଥିଲା। ଧରା ପଡିଥିବା ଗ୍ୟାଙ୍ଗଷ୍ଟର ରିନ୍ଦା ଓ ଲିଣ୍ଡାଙ୍କର ଅନୁଚର ଥିଲେ। ସେମାନଙ୍କୁ ପଚରା ଉଚରା କାଳରେ ଚାଞ୍ଚଲ୍ୟକର ସୂଚନା ମିଳିଥିଲା। ଗିରଫ ଗ୍ୟାଙ୍ଗଷ୍ଟରମାନେ ସୁଧୀର ଶୁରୀଙ୍କ ହତ୍ୟା ଯୋଜନା କରିଥିଲେ। ଏଥିଲାଗି ସେମାନେ ରେକି ମଧ୍ୟ କରିଥିଲେ। ତେବେ ସେମାନେ ଶୁରୀଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ପୋଲିସ ହାତରେ ଧରାପଡିଯାଇଥିଲେ।
ସେମାନେ ଶୁରୀଙ୍କ ଉପରେ ଦୀପାବଳି ପୂର୍ବରୁ ଆକ୍ରମଣର ଯୋଜନା କରିଥିଲେ। ଏହି ଗ୍ୟାଙ୍ଗଷ୍ଟରମାନଙ୍କ ଗିରଫ ଯୋଗୁ ପଞ୍ଜାବରେ ଏକ ବଡ଼ ଘଟଣା ଟଳିଯାଇଥିଲା ବୋଲି ଅନୁମାନ କରାଯାଉଥିବା ବେଳେ ଶୁକ୍ରବାର ଆତତାୟୀ ତାଙ୍କୁ ହତ୍ୟା କରି ଖସି ପଳାଇଛି। ପଞ୍ଜାବ ପୋଲିସ ଏବେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆକ୍ସନ ମୋଡକୁ ଆସିଛି। ଗତ ଅକ୍ଟୋବର ୮ ତାରିଖରେ ଗୁରଦାପୁର ଜିଲ୍ଲାର ବଟଲାଠାରେ ପୋଲିସ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ପୋଲିସ ଗ୍ୟାଙ୍ଗଷ୍ଟର ରଞ୍ଜୋତ ସିଂହକୁ ଗିରଫ କରିଥିଲା।
