ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆକ୍ରମଣ ଭୟରେ ବେଲ୍ ଦେବାକୁ କୁଣ୍ଠାବୋଧ କରନ୍ତି ବିଚାରପତି। ଶନିବାର ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ବାର କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଭିନନ୍ଦନ ସମାରୋହରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନ ବିଚାରପତି।
ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ‘ଜାମିନ ପ୍ରଦାନ କରିବା ଦିଗରେ ଅନିଚ୍ଛା କାରଣରୁ ଉଚ୍ଚନ୍ୟାୟପାଳିକାରେ ବେଲ୍ ଆବେଦନ ପତ୍ର ଫୁଲ ହୋଇଗଲାଣି। ବିଚାରପତିମାନେ ତୃଣମୂଳସ୍ତରରେ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଅପରାଧରର ଗୁରୁତ୍ୱ ବୁଝୁ ନାହାନ୍ତି ବରଂ ଜଘନ୍ୟ ମାମଲାରେ ଏଥିପାଇଁ ବେଲ୍ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି କାରଣ ସେମାନଙ୍କୁ ଆକ୍ରମଣ କରାଯିବାର ଭୟ ରହୁଛି।’
ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗ ଦେଇଥିଲେ। ମାମଲା ସ୍ଥାନାନ୍ତର ନେଇ କେତେକ ଓକିଲ ପ୍ରଧାନ ବିଚାରପତିଙ୍କୁ ଭେଟିବା ନେଇ ଆଇନମନ୍ତ୍ରୀ ଚିନ୍ତା ପ୍ରକଟ କରଥିଲେ। ଏନେଇ ରିଜିଜୁ କହିଥିଲେ ଯେ, ‘ମୁଁ ଶୁଣିଲି ଯେ ମାମଲା ସ୍ଥାନାନ୍ତର ନେଇ କେତେକ ଓକିଲ ସିଜେଆଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏହା ବ୍ୟକ୍ତିଗତ କାରଣ ହୋଇପାରେ, କିନ୍ତୁ ଯଦି ସରକାର ସମର୍ଥିତ କଲେଜିୟମର ପ୍ରତ୍ୟେକ ନିଷ୍ପତ୍ତି ପାଇଁ ଏହା ବାରମ୍ବାର ନିଷ୍ପତ୍ତି ହୋଇଯାଏ ତେବେ ଏହା ଆମକୁ କୁଆଡ଼େ ନେଇଯିବ? ତେବେ ପୂରା ରୂପରେଖ ବଦଳିଯିବ।’
ସୂଚନାଯୋଗ୍ୟ ଯେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ। ତାଙ୍କ କାର୍ଯ୍ୟାକାଳ ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରହିଛି। ନଭେମ୍ବର ୯ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଅବସର ନେବା ପରେ ଚନ୍ଦ୍ରଚୂଡ଼ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ।
