ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଶିକ୍ଷାବର୍ଷରୁ ୪ ବର୍ଷିଆ ସ୍ନାତକ(ୟୁଜି) ପାଠ୍ୟକ୍ରମ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ଏହାର ସଂପୂର୍ଣ୍ଣ ରୂପରେଖକୁ ଆସନ୍ତା ସପ୍ତାହରେ ୟୁଜିସି କର୍ତ୍ତୃପକ୍ଷ ଉନ୍ମୋଚନ କରିବେ ବୋଲି ସୂଚନା ମିଳିଛି । ତେବେ ଆଗାମୀ ଦିନରେ ୟୁଜିର ଏହି ଚାରିବର୍ଷର ସ୍ନାତକ ପାଠ୍ୟକ୍ରମ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ । ଏହି ପାଠ୍ୟକ୍ରମରେ ନାମ ଲେଖା ଆସନ୍ତା ଶିକ୍ଷାବର୍ଷ (୨୦୨୩-୨୪)ରୁ କାର୍ଯ୍ୟକାରୀ ହେବ ।
ପ୍ରଥମେ ଦେଶର ସମସ୍ତ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବ୍ୟତୀତ ଅଧିକାଂଶ ରାଜ୍ୟ ତଥା ବେସରକାରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ କାର୍ଯ୍ୟକାରୀ ହେବ । ଏହା ବ୍ୟତୀତ ଅନେକ ଡିମଡ୍ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ୪ ବର୍ଷିଆ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସମ୍ମତି ଦେଇଛନ୍ତି ।
ପରପକ୍ଷେ, ୨୦୨୩-୨୪ ଶିକ୍ଷାବର୍ଷରୁ ସମସ୍ତ ନୂତନ ଛାତ୍ରମାନେ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ଚୟନ କରିବାର ବିକଳ୍ପ ପାଇବେ । ପୁରାତନ ଛାତ୍ରମାନେ ମଧ୍ୟ ଚାହିଁଲେ ଏଥିରେ ପଞ୍ଜିକରଣ କରିପାରିବେ । ଯେଉଁ ଛାତ୍ରମାନେ ଚଳିତ ବର୍ଷ ତିନି ବର୍ଷର ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ନେଇଛନ୍ତି, ସେମାନେ ପରବର୍ତ୍ତୀ ଶିକ୍ଷାବର୍ଷରୁ ଚାରି ବର୍ଷର ଡିଗ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମଧ୍ୟ ପାଇପାରିବେ ବୋଲି ୟୁଜିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମସ୍ତ ଛାତ୍ରଙ୍କ ପାଇଁ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ଯୋଗାଇ ଦିଆଯିବ, କିନ୍ତୁ ଛାତ୍ରମାନେ ଏହାକୁ ବାଛିବାକୁ ବାଧ୍ୟ ହେବେ ନାହିଁ । ଯଦି ଜଣେ ଛାତ୍ର ଚାହାଁନ୍ତି, ସେ ତିନି ବର୍ଷର ସ୍ନାତକ ପାଠ୍ୟକ୍ରମ ଜାରି ରଖିପାରିବେ । ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦେଶ କୁମାରଙ୍କ ସୂଚନା ଅନୁଯାୟୀ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଯୋଜନା ଖୁବ ଶୀଘ୍ର ସାର୍ବଜନୀନ ହେବ । ପୂର୍ବରୁ ନାମ ଲେଖାଇଥିବା ଛାତ୍ରମାନେ ମଧ୍ୟ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମର ଅଂଶ ହେବାର ସୁଯୋଗ ପାଇବେ । ଏପରି ଛାତ୍ରମାନେ ଯେଉଁମାନେ ପ୍ରଥମ କିମ୍ୱା ଦ୍ୱିତୀୟ ବର୍ଷରେ ଅଛନ୍ତି, ଯଦି ସେମାନେ ଚାହାଁନ୍ତି, ସେମାନଙ୍କୁ ଚାରି ବର୍ଷର ସ୍ନାତକର ପାଠ୍ୟକ୍ରମର ବିକଳ୍ପ ମଧ୍ୟ ଯୋଗାଇ ଦିଆଯାଇପାରେ ବୋଲି ୟୁଜିସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ପରେ, ଦୁଇ ବର୍ଷର ସ୍ନାତକୋତ୍ତର (ପିଜି) କରୁଥିବା ଛାତ୍ରଛାତ୍ରୀ ଏବଂ ଏମ୍ଫିଲ୍ ଓ ପିଏଚ୍ଡିରେ ଆଡମିଶନ ପାଇଁ ୫୫ ପ୍ରତିଶତ ମାର୍କ ହାସଲ କରିବା ବାଧ୍ୟତାମୂଳକ । ନୂଆ ଶିକ୍ଷା ନୀତି ଅନୁଯାୟୀ କରାଯାଇଥିବା ପରିବର୍ତ୍ତନ ଯୋଗୁଁ ଏହା କରାଯାଉଛି । ତେବେ ଅନେକ ଶିକ୍ଷକ ଏବଂ ଶିକ୍ଷକ ସଙ୍ଗଠନ ଏହାକୁ ବିରୋଧ କରି ଯୁକ୍ତି ବାଢିଛନ୍ତି । ଏହା ଛାତ୍ରମାନଙ୍କ ଉପରେ ଏକ ବର୍ଷର ଅତିରିକ୍ତ ଆର୍ଥିକ ବୋଝ ପଡିବା ସହିତ ସମୟ ନଷ୍ଟ କରିବ ବୋଲି କହିଛନ୍ତି ।





