ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାପ୍ରୟାଣ ଗାଡ଼ି ନ ମିଳିବାରୁ ରାଜଧାନୀ ରାଜରାସ୍ତାରେ ଷ୍ଟ୍ରେଚର୍ରେ ମା’ଙ୍କ ଶବ ବୋହିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ସୋମବାର ଘଟିଥିବା ଏହି ଅଭାବନୀୟ ଘଟଣାକୁ ସ୍ବୀକାର କରିବା ସହ ଗୁରୁତ୍ବର ସହ ନେଇଛନ୍ତି। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ହସ୍ପିଟାଲରେ ଅଧିକ ମହାପ୍ରୟାଣ ଗାଡ଼ି ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।
ଏହି ଘଟଣାକୁ ସ୍ବୀକାର କରିବା ସହ ନିର୍ଦ୍ଦେଶକ ଡା. ସାହୁ କହିଛନ୍ତି ଯେ, ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ମାତ୍ର ମହାପ୍ରୟାଣ ଗାଡ଼ି ରହିଛି। ସୋମବାର ଉକ୍ତ ଗାଡ଼ିଟି ଆଉ ଏକ ଶବକୁ ନେଇ ବାଣପୁର ଯାଇଥିଲା। ତେଣୁ ମା’ଙ୍କ ଶବକୁ ନେବା ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଡଗରପଡ଼ାର ମାନସ ବାହୁବଳେନ୍ଦ୍ରଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ଯୁବକଜଣଙ୍କ କାହାରି କଥା ନ ଶୁଣି ତାଙ୍କ ମା’ଙ୍କ ଶବକୁ ଷ୍ଟ୍ରେଚର୍ରେ ଟାଣି ଟାଣି ନେଇ ଯାଇଥିଲେ ବୋଲି ସେ ସୂଚନା ଦେଇଛନ୍ତି। ଗୋଟିଏ ମାତ୍ର ମହାପ୍ରୟାଣ ଗାଡ଼ି ଥିବାରୁ ଏଭଳି ଅସୁବିଧା ହୋଇଥିଲା ବୋଲି ସେ ସ୍ବୀକାର କରିଛନ୍ତି।
ତେବେ ହସ୍ପିଟାଲର ଆକାର ବଢ଼ୁଥିବାରୁ ବର୍ତ୍ତମାନ ଅନ୍ୟୁନ ୩ଟି ମହାପ୍ରୟାଣ ଗାଡ଼ିର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ମାତ୍ର ଗୋଟିଏ ଗାଡ଼ି ରହିଛି। ଫଳରେ ଗାଡ଼ିଟି ଶବ ନେଇ ଉପକଣ୍ଠ କିମ୍ବା ଜିଲ୍ଲା ବାହାରକୁ ଗଲେ ଫେରିବା ଡେରି ହେଉଛି। ତେଣୁ ପ୍ରାୟ ସମୟରେ ସମ୍ପର୍କୀୟମାନଙ୍କୁ ଘଣ୍ଟାଘଣ୍ଟା ଧରି ଶବ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଅପରପକ୍ଷେ ଘରୋଇ ଆମ୍ବୁଲାନ୍ସଗୁଡ଼ିକର ଦର ଅଧିକ ରହୁଥିବାରୁ ଲୋକେ ତାହା ଦେଇପାରୁନାହାନ୍ତି।
ଅନ୍ୟପଟେ, ସୋମବାରର ଅବ୍ୟବସ୍ଥା କ୍ୟାପିଟାଲ ହସ୍ପିଟାଲର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ହସ୍ପିଟାଲ ପରିସରରେ କ୍ୟାପିଟାଲ ଥାନାର ଏକ ଫାଣ୍ଡି ଥିବା ବେଳେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ଏହା ସତ୍ତ୍ୱେ ଯୁବକଜଣଙ୍କ କିପରି ସୁରକ୍ଷାବଳୟ ଡେଇଁ ଷ୍ଟ୍ରେଚର୍ରେ ଶବ ନେଇ ବାହାରକୁ ଚାଲିଗଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
