କେଜ୍ରିୱାଲ୍‌ଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛି ବିଜେପି : ମନୀଷ ସିସୋଦିଆ

ନୂଆଦିଲ୍ଲୀ: ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମନୀଷ ସିସୋଦିଆ । ଦିଲ୍ଲୀ ପୌର ନିର୍ବାଚନ ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ଆଶଙ୍କା କରି ‘ବିଜେପି’ ‘ଆପ୍‌’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅ‌ଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ‘ବିଜେପି’ ସାଂସଦ ଏବଂ ଦିଲ୍ଲୀ ୟୁନିଟ୍‌ର ପୂର୍ବତନ ସଭାପତି ମନୋଜ ତିୱାରି ମଧ୍ୟ କେଜ୍ରିୱାଲ୍‌ଙ୍କୁ ଆକ୍ରମଣ କରିବା ପାଇଁ ସର୍ବସାଧାରଣରେ ଗୁଣ୍ଡାମାନଙ୍କୁ କହୁଛନ୍ତି।

ଗୁରୁବାର ଦିନ ଟୁଇଟ୍‌ କରି ସେ ଲେଖିଛନ୍ତି, ଗୁଜରାଟ ଏବଂ ‘ଏମ୍‌ସିଡି’ ନିର୍ବାଚନରେ ପରାସ୍ତ ହେବା ଆଶଙ୍କାରେ ‘ବିଜେପି’ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରୁଛି। ସେମାନଙ୍କର ସାଂସଦ ମନୋଜ ତିୱାରି ମଧ୍ୟ ଅରବିନ୍ଦଜୀଙ୍କ ଉପରେ ଆକ୍ରମଣ କରିବା ଲାଗି ସର୍ବସାଧାରଣରେ ଗୁଣ୍ଡାମାନଙ୍କୁ କହୁଛନ୍ତି। ସେଥିପାଇଁ ସେ ଯୋଜନା ସମ୍ପୂର୍ଣ୍ଣ କରିଛନ୍ତି। ‘ଆପ୍‌’ ସେମାନଙ୍କ ନିମ୍ନମାନର ରାଜନୀତିକୁ ଭୟ କରେ ନାହିଁ। ଜନତା ସେମାନଙ୍କ ଗୁଣ୍ଡାଗିରିର ଜବାବ ଦେବେ।

ଏହାର ଦିନକ ଆଗରୁ ତିୱାରି କରିଥିବା ଟୁଇଟ୍‌ର ପ୍ରତ୍ୟୁତ୍ତର ଦେବାକୁ ଯାଇ ସିସୋଦିଆ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଉକ୍ତ ଟୁଇଟ୍‌ରେ ତିୱାରି କେଜ୍ରିୱାଲ୍‌ଙ୍କ ନିରାପତ୍ତା ପ୍ରତି ଚିନ୍ତାପ୍ରକଟ କରିବା ସହିତ ‘ଏମ୍‌ସିଡି’ ନିର୍ବାଚନରେ ଚାଲିଥିବା ଦୁର୍ନୀତି ଓ ଟିକେଟ ବିକ୍ରି ଅଭିଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ।

ଟୁଇଟ୍‌ କରି ଉତ୍ତରପୂର୍ବ ଦିଲ୍ଲୀର ସାଂସଦ ଲେଖିଥିଲେ: ଅବିରାମ ଦୁର୍ନୀତି, ଟିକେଟ ବିକ୍ରି, ଦୁଷ୍କର୍ମକାରୀଙ୍କ ସହିତ ମିତ୍ରତା ଏବଂ ଜେଲ୍‌ରେ ଘ‌ଷାମୋଡ଼ା ଆଦି ପାଇଁ ଜନତା ଓ ‘ଆପ୍‌’ ସ୍ବେଚ୍ଛାସେବୀମାନେ ଉତ୍‌କ୍ଷିପ୍ତ ହୋଇ ରହିଥିବାରୁ ମୁଁ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନିରାପତ୍ତା ବିଷୟରେ ଚିନ୍ତିତ। ସେମାନଙ୍କ ବିଧାୟକମାନେ ବି ମାଡ଼ ଖାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତୀଙ୍କ କ୍ଷେତ୍ରରେ ଏମିତି ହେବା ଅନୁଚିତ ।

Related Posts