ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ସିବିଆଇ ପରେ ଇଡି ଚାର୍ଜସିଟରେ ମଧ୍ୟ ନାହିଁ ମନୀଷ ସିସୋଦିଆଙ୍କ ନାମ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତକାଲି ସିବିଆଇ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପ୍ରଥମ ଚାର୍ଜସିଟ ଦାଖଲ କରିଛି। ଏହି ତଥାକଥିତ ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ଦିଗର ତଦନ୍ତ କରୁଛି। ତଦନ୍ତର ପ୍ରାୟ ୨ ମାସ ପରେ ଆଜି ଇଡି ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ପ୍ରଥମ ଫ୍ରସିକ୍ୟୁସନ କମ୍ପ୍ଲେନ ବା ଚାର୍ଜଶିଟ ଦାଖଲ କରାଯାଇଛି।

ତେବେ ଏହି ଚାର୍ଜଶିଟରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନାହିଁ। ଗତକାଲି ସିବିଆଇ ମଧ୍ୟ ଏହି ଘଟଣାରେ ଚାର୍ଜଶିଟ ଦାଖଲ କରିଥିଲା। ସେଥିରେ ବି ସିସୋଦିଆଙ୍କ ନାଁ ନଥିଲା। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ସିବିଆଇ ଏଫଆଇଆର ରୁଜୁ କରିଥିଲା। ଏଥିରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ସେହି ଆଧାରରେ ଇଡି ମଧ୍ୟ ଖୋଳତାଡ଼ କରିଥିଲା। ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରାଯାଇଥିଲା।

କିନ୍ତୁ ଏବେ ଉଭୟ ସିବିଆଇ ଓ ଇଡି ଚାର୍ଜଶିଟ୍‌ରେ ତାଙ୍କ ନାଁ ନଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଆଜି ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ବ୍ୟବସାୟୀ ସମୀର ମହେନ୍ଦ୍ର, ୪ଟି କମ୍ପାନୀ ଓ ମହେନ୍ଦ୍ର ନିର୍ଦ୍ଦେଶକ ଥିବା ସଂସ୍ଥାଗୁଡ଼ିକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହା ବ୍ୟତୀତ ଆଉ କାହା ନାଁ ଚାର୍ଜଶିଟରେ ନାହିଁ।

ସ୍ୱତନ୍ତ୍ର ବିଚାରପତି ଏମକେ ନାଗପାଲଙ୍କ ଆଗରେ ଇଡିର ଓକିଲ ନବୀନ ମାଟ୍ଟା ଉପସ୍ଥିତ ରହି ଚାର୍ଜଶିଟ ଦାଖଲ କରିଛନ୍ତି। ସେ କୋର୍ଟଙ୍କୁ କହିଛନ୍ତି ଯେ ପିଏମଏଲଏର ଧାରା ୩ ଓ ୪ ଅଧୀନରେ ହୋଇଥିବା ଅପରାଧ ସଂକ୍ରାନ୍ତରେ ଚାର୍ଜଶିଟ ଦାଖଲ କରାଯାଇଛି।

Related Posts