ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଅପରାହ୍ନ ୨ଟା ସମୟରେ ବ୍ରହ୍ମପୁର ଏସଡିଜିଏମ କୋର୍ଟରେ ଶୁଣାଣି ଚାଲିଥିବା ସମୟରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ବ୍ରହ୍ମପୁର ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଛୁରି ଦେଖାଇ ଆକ୍ରମଣ ଉଦ୍ୟମ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ମଦ୍ୟପାନ କରି କୋର୍ଟକୁ ଆସିଥିଲେ । ଏହାପରେ ସେ କୋର୍ଟର ଡାଇସ ଉପରେ ଚଢ଼ି ଜଜ୍ ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ଅଭିଯୁକ୍ତ ଯୁବକଙ୍କୁ ଉପସ୍ଥିତ ଆଇନଜୀବୀ ମାନେ କାବୁ କରିନେଇଥିଲେ । ପରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏବେ ବ୍ରହ୍ମପୁର ଏସପି ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ କରୁଛନ୍ତି । ଆକ୍ରମଣ କରିଥିବା ଯୁବକ ବୈଦ୍ୟନାଥପୁର ଥାନାରେ ଅଟକ ରହିଛି ।
ତେବେ କେଉଁପରି ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କୋର୍ଟକୁ ସାଧାରଣ ବ୍ୟକ୍ତିଙ୍କୁ ଅନୁମତି ରହିଛି କିନ୍ତୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବା କଥା । ଘଟଣା ପରେ କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତକ୍ଷଦର୍ଶୀ କହିଛନ୍ତି ଯେ, ଯୁବକଙ୍କୁ ଅଟକାଇବାରେ ସାମାନ୍ୟ ବିଳମ୍ୱ ହୋଇଥିଲେ କିଛି ଅଘଟଣ ଘଟିଯାଇଥାନ୍ତା ।
ଯୁବକଙ୍କ ଉଦ୍ଦେଶ୍ୟ କଣ ? ସେ କାହିଁକି ଜଜ୍ ଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ? ନିଜର କିଛି କେସ୍ ଅଦାଲତରେ ରହିଛି କି ? ତଦନ୍ତ ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଆଇନଜୀବୀ କହିଛନ୍ତି ।
