ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡିର ଖୋଳତାଡ ଜାରି ରହିଛି। ଦିନ ଗଡିବା ସହ ନୂଆ ନୂଆ ଲୋକ ସବୁ ତଦନ୍ତ ପରିସରଭୁକ୍ତ ହେଉଛନ୍ତି। ଏହି କ୍ରମରେ ଆଜି ଇଡିରେ ହାଜର ହୋଇଛନ୍ତି ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱରଙ୍କ ବ୍ୟବସାୟିକ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ସୂଚନା ମିଳିଛି । ଏନେଇ ଇଡି ତାଙ୍କୁ ସମନ୍ ଜାରି କରିବା ପରେ ସେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।
ଅନ୍ୟପଟେ, ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ।ଗତ ୨୪ ତାରିଖରେ କୋର୍ଟରେ ହାଜର କରାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ ଆଗରେ ଇଡି ପିଟିସନ୍ ଫାଇଲ କରିଥିଲା । କୋର୍ଟରେ ହାଜର କରାଇବା ପରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ ।
ମିଳିଥିବା ସୂଚନା ଅନୁସାରେ, ଇଡି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ । ଏପର୍ଯ୍ୟନ୍ତ ଇଡି ୫ ଜଣଙ୍କୁ ଜେରା କରିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡ଼ିଦେଲେ ବାକି ୮ ଜଣ କିଏ, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
