ଶିମଲା: ହିମାଚଳ ପ୍ରଦେଶରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । କଂଗ୍ରେସ ବାଜିମାତ କରିଛି । ବରିଷ୍ଠ ନେତା ସୁଖବିନ୍ଦର ସିଂ ସୁଖୁ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ତେବେ ସୁଖୁଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୋୖଡରେ ପ୍ରତିଭା ସିଂ ମଧ୍ୟ ଥିଲେ | ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ଦେହାନ୍ତ ପରେ କଂଗ୍ରେସ ପ୍ରତିଭାଙ୍କୁ ଦଳର ଦାୟିତ୍ୱ ଦେଇଥିଲା | ତାଙ୍କ ନେତୃତ୍ୱରେ ଦଳ ମଧ୍ୟ ନିର୍ବାଚନରେ ​​ଜିତିଥିଲା, କିନ୍ତୁ ବର୍ତ୍ତମାନ ଶେଷ ମୁହୂର୍ତ୍ତରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦୌଡରୁ ବାହାର କରିଦିଆଯାଇଛି | ତେବେ ପ୍ରତିଭାଙ୍କୁ କାହିଁକି ବାଦ ଦିଆଗଲା? ଆସନ୍ତୁ ଜାଣିବା |

ନିର୍ବାଚନ ଫଳାଫଳ ପରେ ବୟାନବାଜି

ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ପରେ ପ୍ରତିଭା ସିଂ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିବୃତ୍ତି ଦେଉଥିଲେ। ବୀରଭଦ୍ର ସିଂଙ୍କ ଉତ୍ତରାଧିକାରୀ ଭାବେ ସେ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ ତାହା ପରୋକ୍ଷରେ କହିଥିଲେ | ଯେତେବେଳେ କଂଗ୍ରେସର ପର୍ଯ୍ୟବେକ୍ଷକମାନେ ସରକାର ଗଠନ ଦାବି ସମ୍ପର୍କରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ ସୁଖୁ ମୁଖ୍ୟମନ୍ତ୍ରୀ କିଏ ହେବ ସେହି ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡିଥିଲେ। ଆଉ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ପୁରସ୍କାର ଭାବେ ମିଳିଲା |

ସାଂସଦ ପଦ ସାଜିଲା କଣ୍ଟା
ପ୍ରତିଭା ସିଂ ବର୍ତ୍ତମାନ ମଣ୍ଡି ଆସନରୁ ସାଂସଦ ଅଛନ୍ତି। ଯଦି କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତା, ତେବେ ମଣ୍ଡିରେ ଉପ-ନିର୍ବାଚନ ହୋଇଥାନ୍ତା। ଏଥି ସହିତ ତାଙ୍କୁ ବିଧାୟକ କରିବା ପାଇଁ ଗୋଟିଏ ସିଟ୍ ଖାଲି କରିବାକୁ ପଡିଥାନ୍ତା । ଅର୍ଥାତ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦୁଇଟି ଆସନ ଖାଲି କରିବାକୁ ପଡିଥାନ୍ତା | ଏହି ପରିସ୍ଥିତିକୁ ଏଡାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପରେ ପ୍ରତିଭା ସିଂ ଦୌଡରୁ ଓହରି ଯାଇଥିଲେ।

ପ୍ରଦର୍ଶନ ଅତ୍ୟନ୍ତ ଖରାପ
ପ୍ରତିଭା ସିଂ ବର୍ତ୍ତମାନ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି। ତାଙ୍କ ନେତୃତ୍ୱରେ କଂଗ୍ରେସ ୬୮ଟି ଆସନ ମଧ୍ୟରୁ ୪୦ଟି ଜିତିଛି। ତେବେ ପ୍ରତିଭାଙ୍କ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଫେଲ ହୋଇଛି | ମଣ୍ଡି ଜିଲ୍ଲାର ୧୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୯ଟି ହରାଇଛି। ମଣ୍ଡିରେ କଂଗ୍ରେସର ପ୍ରଦର୍ଶନ ମଧ୍ୟ ପ୍ରତିଭାଙ୍କ ପାଇଁ ବାଧା ସୃଷ୍ଟି କରିଥିଲା।

ପରିବାରବାଦ ଅଡୁଆ
ଉଦୟପୁର ଶିବିରରେ ନିର୍ବାଚନରେ ​​ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କୁ ଟିକେଟ୍ ଦେବାର ସୂତ୍ର କଂଗ୍ରେସ ପାସ କରିଛି। ପ୍ରତିଭାଙ୍କ ପୁଅ ବିକ୍ରମାଦିତ୍ୟ ଶିମଲା ଗ୍ରାମୀଣ ଆସନରୁ ବିଧାୟକ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ହାଇକମାଣ୍ଡ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତେ ତେବେ ଦଳ ଭିତରେ ପରିବାରବାଦ ପ୍ରଶ୍ନ ଉଠିଥାନ୍ତା। ଏହା ସହିତ ନିର୍ବାଚିତ ଅଧିକାଂଶ ବିଧାୟକ ମଧ୍ୟ ପ୍ରତିଭାଙ୍କ ବିପକ୍ଷରେ ଥିଲେ