ଭୁବନେଶ୍ୱର, ୧୨/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ୧୫ବର୍ଷ ଓ ଏହାଠାରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ରାଜ୍ୟ ଟ୍ରକ୍‌ ମାଲିକ ସଂଘ ବିରୋଧ କରିଛି। ଏହାଉପରେ ବିଚାର କରି ୧୫ବର୍ଷ ବଦଳରେ ଏହାକୁ ୨୦ବର୍ଷ କରିବାକୁ ସଂଘ ଦାବି କରିଛି। ଏଥିସହିତ ସଂଘ ଦେଇଥିବା ଅନ୍ୟ କେତେକ ଦାବି ଉପରେ ବିଚାର କରି ମାସକ ଭିତରେ ନିଷ୍ପତ୍ତି ନେବାକୁ ସଂଘ ଅନୁରୋଧ କରିଛି। ସରକାର ଏନେଇ କୌଣସି ନିଷ୍ପତ୍ତି ନନେଲେ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍‌ ଧର୍ମଘଟ ହେବ ବୋଲି ସଂଘ ଚେତାବନୀ ଦେଇଛି।

ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକ ଗଣ୍ଡରପୁରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବ୍ୟାପି ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମହାସଂଘର ସାଧାରଣ ସଂପାଦକ ରବି ଶତପଥୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ୧୫ବର୍ଷରୁ ଉଧିକ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବାକୁ ନି‌ଷ୍ପତ୍ତି ନେବା, ଦୀର୍ଘଦିନ ଧରି ଟ୍ରକ୍‌ର ଭଡ଼ା ଧାର୍ଯ୍ୟ ନକରିବା ଆଦି ବିଷୟକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଧର୍ମଘଟକୁ ନେଇ ମହାସଂଘ ତରଫରୁ ରାଜ୍ୟର ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ପରିବହନ କମିସନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ତେବେ ଗତ ସେପ୍ଟେମ୍ବର୍‌ରୁ ଟ୍ରକ ମାଲିକମାନେ ସେମାନଙ୍କ ଦାବିକୁ ବାରମ୍ବାର ପରିବହନ କମିସନରଙ୍କ ନିକଟରେ ରଖିଥିଲେ। ମାତ୍ର ଏଥିରେ କୌଣସି ସୁଫଳ ମିଳି ନଥିବା ସଂଘର ସଭାପତି ବିଭୂତି ପ୍ରସାଦ ଦାସ କହିଛନ୍ତି। ଏକ ମାସ ମଧ୍ୟରେ ରାଜ୍ୟ ସରକାର ଏହା ଉପରେ ଆଲୋଚନା କରି ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନ‌ନଲେ, ରାଜ୍ୟବ୍ୟାପି ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ କରାଯିବ ବୋଲି ମହାସଂଘ ପକ୍ଷରୁ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପଦେଷ୍ଟା ଶରତଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପାଣି, ଉପସଭାପତି ଶିବପ୍ରସାଦ ମିଶ୍ର, ରାଜୀବ‌ ଜେନା, ସମୁନ୍ତ ବିଶ୍ବାଳ, ପ୍ରମୋଦ ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।