ଭୁବନେଶ୍ୱର,୧୬/୧୨(ସତ୍ୟପାଠ ବ୍ୟୁରୋ): ସାମ୍ନାକୁ ଆସିଲା କଟକ ଐତିହାସିକ ବାଲିଯାତ୍ରା ଘୋଟାଲାର ପ୍ରମାଣ। ସତ୍ୟ ପ୍ରମାଣିତ ହେଲା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ। ବାଲିଯାତ୍ରା ୨୦୨୨ରେ ଭିତ୍ତିଭୂମି ପ୍ରସ୍ତୁତି ନାଁରେ ନୀତିନିୟମକୁ ଜଳାଞ୍ଜଳି ଦେଇ କୋଟି କୋଟି ଟଙ୍କାର ପ୍ରୀୟାପ୍ରିତି ତୋଷଣର ଦସ୍ତାବିଜ୍ ଲାଗିଛି ସତ୍ୟପାଠ ହାତରେ। ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟର ଟେଣ୍ଡର ପେପର ଓ ୱାର୍କ ଅର୍ଡରର କାଗଜ ପତ୍ରରୁ ସ୍ପଷ୍ଟ ଭାବରେ ଧରପଡ଼ିଛି କିଭଳି ଚତୁରତାର ସହ ନିର୍ଦ୍ଧିଷ୍ଟ ହାତଗଣତି ଠିକାଦାର ଓ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଛି କୋଟି କୋଟି ଟଙ୍କାର ୱାର୍କ ଅର୍ଡର। କିନ୍ତୁ ଘୋଟାଲାକୁ ସରକାରୀ ସ୍ତରରେ ଏଭଳି ଭାବରେ ଡିଜାଇନ୍ କରାଯାଇଛି ଯେ, ଓପରୁ ଦେଖିଲେ ଆଇନତଃ ସବୁକିଛି ଠିକଠାକ୍ ଲାଗିବ ଭିତରେ କିନ୍ତୁ ନିଜ ନିଜର କର୍ପଟଦାରଙ୍କୁ ଦିଆଯାଇଛି କୋଟି କୋଟି ଟଙ୍କାର କାମ। କଟକ ମୁନିଶିପାଲିଟି କର୍ପୋରେସନ ଏହି ଘୋଟାଲା ର ଯେଉଁ ଚତୁର ସୁତ୍ରଟି ବ୍ୟବହାର କରିଛନ୍ତି ତାହା ହେଲା, ଆଇନ୍ କୁ ଆଖି ଠାର ମାରି ବଡ କାମକୁ ଛୋଟ ଛୋଟ ଆକାରରେ ଭାଗ କରିଦେଇ ବିନା ଟେଣ୍ଡରରେ ନିଜ ଲୋକଙ୍କୁ କାମ ବାଣ୍ଟି ଦେଇଛନ୍ତି। ବଡ ପରିମାଣର କାମ ଦେବାକୁ ହେଲେ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଦରକାର। ସିଏମସି କର୍ତ୍ତୃପକ୍ଷଙ୍କୁ ଭଲ ଭାବେ ଜଣା ଟେଣ୍ଡର ଜରିଆରେ ନିଜ ଲୋକଙ୍କୁ ଅନୁକମ୍ପା ଦେଖାଇବା ସହଜ ନୁହଁ, ତେଣୁ ବିଭିନ୍ନ କାର୍ଯ୍ୟକୁ ଛୋଟ ଛୋଟ ପରିମାଣରେ ଭାଗ କରି ନିଜ ଲୋକଙ୍କୁ କୋଟି କୋଟି ଟଙ୍କାର କାମ ଦେଇଛନ୍ତି।
ସତ୍ୟପାଠ ହାତରେ ଲାଗିଥିବା ତଥ୍ୟ ଅନୁଯାୟୀ, ବାଲିଯାତ୍ରା ପଡ଼ିଆ ଭିତ୍ତିଭୂମି ପ୍ରସ୍ତୁତି ପାଇଁ କଟକ ପୌର ନିଗମ ପକ୍ଷରୁ ୩କୋଟି ୭୧ ଲକ୍ଷ ବ୍ୟୟ ଅଟକଳ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ମୋଟ ୧୧୭ କାମ ଭିତରୁ ୧୯ଟିକୁ ଛାଡ଼ି ଦେଲେ ବାକି ୯୯ଟି କାମକୁ ବିନା ଟେଣ୍ଡର ରେ କେବଳ ୧୦ ଜଣକ ନାଁ ବଣ୍ଟାଯାଇଛି । ସେଥିରୁ ମୋନାଲିସା ବେହେରା ନାମୀ ଜଣେ ମହିଳାଙ୍କୁ ଦିଆଯାଇଛି ସର୍ବାଧିକ ୪୨ଟି କାମ। ପ୍ରଭାତ ଚନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୨୫ଟି କାମ, ଅଶୋକ ସ୍ୱାଇଁଙ୍କୁ ୧୪ଟି।
ତେବେ ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିନା ଟେଣ୍ଡରରେ ସବୁଠୁ ଅଧିକ ଅର୍ଥାତ୍ ୪୨ଟି କାମ ପାଇଥିବା ମୋନାଲିସା ବେହେରା ହେଉଛନ୍ତି ସିଏମସି ୧୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ ବାସୁଦେବ ବେହେରାଙ୍କ ପତ୍ନୀ। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ଆର୍ ଆଣ୍ଡ୍ ବି ବିଭାଗର ଯନ୍ତ୍ରୀ ଅକ୍ଷୟ ବେହେରା।
ସେହିଭଳି ଦ୍ବିତୀୟ ସର୍ବାଧିକ ଅର୍ଥାତ୍ ୨୫ଟି କାମ ପାଇଥିବା ପ୍ରଭାତ ଚନ୍ଦ୍ର ବେହେରା ବି ହେଉଛନ୍ତି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ। ଏହି କ୍ରମରେ ୯ଟି କାମ ପାଇଥିବା ଚନ୍ଦ୍ରଶେଖର ବେହେରା ବି ହେଉଛନ୍ତି ତାଙ୍କ ସଂପର୍କୀୟ। ସେହିପରି ୨୨ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଚନ୍ଦନ ଜେନାଙ୍କ ଶାଳକ ଅଶୋକ ସ୍ବାଇଁଙ୍କ ଭାଗରେ ପଡ଼ିଛି ୧୪ଟି କାମ।
ଅନ୍ୟପଟେ ମେୟର ସୁବାସ ସିଂହଙ୍କ ପାଖେପାଖେ ସବୁ ବେଳେ ରହୁଥିବା ଯୁବନେତା ଜଗନ୍ନାଥ ସ୍ବାଇଁଙ୍କ ପତ୍ନୀ ପିଙ୍କିନା ସ୍ବାଇଁଙ୍କ ନାମରେ ବି ୨ଟି କାମ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ ଅନ୍ୟ ଯେଉଁମାନେ ବି ବାଲିଯାତ୍ରା କାମ ପାଇଛନ୍ତି ସେମାନେ କଟକ ପୌର ନିଗମରେ ମେୟର, ଅଧିକାରୀଙ୍କ ପାଖେପାଖେ ରହି ପ୍ରଭାବ ଆଉ ପତିଆରା ଦେଖାଉଥିବା ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷଙ୍କ ସଂପର୍କୀୟ ଅଥବା ପରିଚିତ। ୩ କୋଟିରୁ ଅଧିକ ଟଙ୍କାର କାମର ଭାଗବଣ୍ଟାରେ ଏହାଠୁ ଅଧିକ ପ୍ରିୟାପ୍ରୀତିର ପ୍ରମାଣ ଆଉ କ’ଣ ହୋଇପାରେ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।
ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ କଟକ ପୌର ନିଗମ ପକ୍ଷରୁ ହୋଇଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏ ସଂପର୍କରେ ମେୟର ସୁବାସ ସିଂହ କହଛନ୍ତି ଯେ, ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି ପ୍ରସ୍ତୁତି ପାଇଁ କମ୍ ସମୟ ଥିବାରୁ ନିଗମ ବିନା ଟେଣ୍ଡରରେ କାମ କରିଛି। ଦକ୍ଷ ଠିକାଦାରଙ୍କୁ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରାଯାଇଛି। ଏଥିରେ କୌଣସି ଅନିୟମିତତା କରାଯାଇ ନାହିଁ। ନିଗମ ପକ୍ଷରୁ କରାଯାଇ ଥିବା ସମସ୍ତ କାମର ଅଡିଟ କରାଯିବ ବୋଲି ମେୟର କହିଛନ୍ତି। ଅନ୍ୟପଟେ ବାଲିଯାତ୍ରା ପଡ଼ିଆ ଭିତ୍ତିଭୂମି ବିକାଶ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଥ୍ୟ ଓ ପ୍ରମାଣ ଆସିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନର ନିଖିଲ ପୱନ କଲ୍ୟାଣ କହିଛନ୍ତି।
ତେବେ, ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ କର୍ପୋରେଟର ତଥା ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆ କହିଛନ୍ତି ଯେ, କଟକରେ ଯୋଗ୍ୟ ଠିକାଦାରଙ୍କର ଅଭାବ ନାହିଁ। କିନ୍ତୁ, ବାଲିଯାତ୍ରା ପ୍ରସ୍ତୁତି ପାଇଁ ୯୮ଟି କାମରୁ ଜଣେ ବ୍ୟକ୍ତିଙ୍କୁ କେମିତି ୪୨ଟି କାମ ଦିଆଗଲା ? ପୁଣି ସବୁ ସଂପର୍କୀୟ, ସହଯୋଗୀ, ଚିହ୍ନା ପରିଚିତ କାମ ପାଇଲେ। ଏହା ପଛରେ ସିଏମସି କର୍ତ୍ତୃପକ୍ଷଙ୍କର କି ଉଦ୍ଦେଶ୍ୟ ରହିଛି ? ଏହିଭଳି ପ୍ରଶ୍ନ ଉତ୍ଥାପନ କରିବା ସହିତ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଶ୍ରୀ ଖୁଣ୍ଟିଆ। ସେହିଭଳି, ବାଲିଯାତ୍ରା ଆୟୋଜନ ପାଇଁ ନିଗମ ପକ୍ଷରୁ ଯେତେ ସବୁ କାମ ହୋଇଛି, ସବୁର ଭିଜିଲାନ୍ସ ତଦନ୍ତ କରାଯିବା ସହ ଅର୍ଥ କାରବାରର ଅଡିଟ କରାଯାଉ ବୋଲି ବିଜେପି କର୍ପୋରେଟର ଗଗନ ଓଝା ଦାବି କରିଛନ୍ତି। ବାଲିଯାତ୍ରାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ହିସାବ କର୍ପୋରେଟଙ୍କୁ ଦିଆଗଲା ନାହିଁ। ବାଲିଯାତ୍ରାରେ କେତେ ଖର୍ଚ୍ଚ ହେଲା ଓ କେତେ ଆୟ ହେଲା ଏହାର ହିସାବ ସାର୍ବଜନୀନ କରାଯିବା ସହ ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ କରାଯାଉ ବୋଲି କଂଗ୍ରେସ କର୍ପୋରେଟର ସନ୍ତୋଷ କୁମାର ଭୋଳ ମଧ୍ୟ ଦାବି କରିଛନ୍ତି।
ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ବାଲିଯାତ୍ରା ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ୍ ପାଇଁ ଅନୁରୋଧ କରି ପୂଜା କମିଟି, ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖାଯାଇଛି। ଏହାର ନେତୃତ୍ବ ନେଇଛନ୍ତି ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ତଥା ମହାନଗର ପୂଜା କମିଟିର ସଧାରଣ ସଂପାଦକ ପ୍ରଭାତ ତ୍ରିପାଠୀ। ଏଭଳି ଅନୁରୋଧ ସମ୍ବଳିତ ପତ୍ରର ନକଲ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
