ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଝିଅଙ୍କୁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ମନା। ଆଫଗାନିସ୍ତାନରେ ତାଲିବାନ ସରକାର ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି । ମଙ୍ଗଳବାର ଠାରୁ ଏହି କଟକଣା ଲଗାଯାଇଛି। ଏନେଇ ତାଲିବାନ୍ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ବନ୍ଦ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ଏହି ଚିଠି ଜାରି କରିଛନ୍ତି।
ସେଠାରେ ହଜାର ହଜାର ଝିଅ ଓ ମହିଳା ବିଶ୍ୱବିଦ୍ୟାଳୟସ୍ତରରେ ପାଠପଢ଼ିବାକୁ ଦେଇଥିବା ପ୍ରବେଶିକା ପରୀକ୍ଷାର ୩ ମାସ ପୂରି ନ ଥିବା ବେଳେ ଏଭଳି ନିର୍ଦ୍ଦେଶ ଆସିଛି। ପ୍ରବେଶିକା ଦେଇଥିବା ବହୁ ସଂଖ୍ୟକ ଝିଅ ପାଠପଢ଼ି ଇଞ୍ଜିନିଅର ଓ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ସମସ୍ତଙ୍କ ଆଶା ଧୂଳିସାତ୍ ହୋଇଛି।
ଗତବର୍ଷ ଅଗଷ୍ଟରେ କଠୋରପନ୍ଥି ଇସଲାମବାଦୀଙ୍କ ହାତକୁ ଏହି ଦେଶର ଶାସନ ଭାର ଯିବା ପରେ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଆଧାରରେ ସ୍ୱତନ୍ତ୍ର କକ୍ଷ ଓ ପ୍ରବେଶ ସହିତ ନୂଆ ନିୟମ କରାଯାଇ ପାଠପଢ଼ା ଚାଲିଥିଲା। ମହିଳାମାନଙ୍କୁ କେବଳ ମହିଳା କିମ୍ବା ବୁଢ଼ା ପ୍ରଫେସରମାନେ ପାଠ ପଢ଼ାଇ ପାରୁଥିଲେ।
ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ସେଠାରେ କିଶୋରୀମାନଙ୍କ ପ୍ରାଥମିକ ଠାରୁ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ିବା ଉପରେ କଟକଣା ଲଗାଯାଇଥିଲା। ଫଳରେ ଏହା ଝିଅମାନଙ୍କ ଉଚ୍ଚ ଶିକ୍ଷା ଉପରେ ଏକପ୍ରକାର ଅନିଶ୍ଚିତ କଟକଣା ସୃଷ୍ଟି କରି ଦେଇଥିଲା।
