ଭାଟିକାନ୍ ସିଟିର ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡଶଙ୍କ ପରଲୋକ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଭାଟିକାନ୍ ସିଟିର ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡଶଙ୍କ ପରଲୋକ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆଜି (ଶନିବାର) ସ୍ଥାନୀୟ ସମୟ ସକାଳ ୯.୩୦ ରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୯୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ଭାଟିକାନ ପକ୍ଷରୁ ସୂଚନା ଦିଆଯାଇଛି ।ସେ ୨୦୦୫ ରୁ ୨୦୧୩ ପର୍ଯ୍ୟନ୍ତ ଆପୋଷ୍ଟୋଲିକ୍ ସିର ଆୟୋଜନ କରିଥିଲେ । ୨୦୧୩ ମସିହାରେ, ସେ କୌଣସି କାରଣରୁ ପୋପ୍ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ଭାଟିକାନ୍ ଗାର୍ଡେନ୍ସର ଏକ ଛୋଟ ମଠ ମ୍ୟାଟର୍ ଏକ୍ଲେସିଆରେ ରହୁଥିଲେ ।

ଆସନ୍ତା ୨ ଜାନୁଆରି ସୋମବାରଠାରୁ ସେଣ୍ଟ୍ ପିଟର୍ସ ବାସିଲିଆରେ ତାଙ୍କ ମର ଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ପୂର୍ବତନ ପୋପଙ୍କ ଅନ୍ତେଷ୍ଟି କ୍ରିୟା ସଂପର୍କରେ ପରବର୍ତ୍ତୀ ସମୟରେ ଭାଟିକାନ ଅଫିସ ପକ୍ଷରୁ ଘୋଷଣା କରାଯିବ ।

ଏପ୍ରିଲ୍ ୧୬, ୧୯୨୭ ରେ ଜର୍ମାନୀରେ ଜନ୍ମିତ ଜୋସେଫ ରାଜିନଜର ନାମରେ ଜନ୍ମିତ ବେନେଡିକ୍ଟଙ୍କୁ ୨୦୦୫ରେ ପୋପ ଘୋଷଣା କରାଯାଇଥିଲା । ତାଙ୍କୁ ସେତେବେଳେ ୭୮ ବର୍ଷ ବୟସ ହୋଇଥିଲା । ସବୁଠାରୁ ଅଧିକ ବୟସରେ ସେ ପୋପ ହୋଇଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ କେତେକ ବିବାଦୀୟ ପରିସ୍ଥିତିର ସାମନା କରିଥିଲେ । ସେଗୁଡ଼ିକ ମଧ୍ୟରେ ଥିଲା ଚର୍ଚ୍ଚରେ ଯୌନ କେଳେଙ୍କାରି, ଚର୍ଚ୍ଚର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଆଦି । ଏହି କାରଣରୁ ସେ ୨୦୧୩ରେ ପୋପ ପଦରୁ ଇସ୍ତଫା ଦେଇଥିଲେ । ୬୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ପୋପ ଇସ୍ତଫା ଦେଇଥିଲେ ।

Related Posts