‘ଭାରତ ଯୋଡ଼ୋ ଯାତ୍ରାର ସଫଳତା ପାଇଁ ଶୁଭକାମନା’: ରାହୁଲଙ୍କ ନିମନ୍ତ୍ରଣ ପରେ ଅଖିଳେଶଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଆଉ ଏହାର ଉତ୍ତର ରଖିଛନ୍ତି ଅଖିଳେଶ। ସେ ରାହୁଲଙ୍କୁ ଆମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଅଖିଳେଶ ଯାଦବ ରାହୁଲଙ୍କୁ ଏକ ଚିଠିରେ ଲେଖିଛନ୍ତି, ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସଫଳତା ପାଇଁ ଶୁଭକାମନା।

ଅଖିଳେଶ ଆହୁରି କହିଛନ୍ତି ଯେ, ଭାରତ ଏକ ଭୌଗଳିକ ବିସ୍ତାର ଠାରୁ ଅଧିକ, ଏହା ପ୍ରେମ, ଅହିଂସା, କରୁଣା, ସହଯୋଗ ଓ ସମନ୍ୱୟରେ ଏକାଠି ରହିଛି। ଆଶା ରହିଛି ଏହି ଯାତ୍ରା ଆମ ଦେଶର ଏହି ସଂସ୍କୃତିକୁ ସଂରକ୍ଷିତ କରିବା ପାଇଁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବ। ଅନ୍ୟପଟେ ଏସପି ପ୍ରବକ୍ତା ରାଜେନ୍ଦ୍ର ଚୌଧୁରୀ ପୂର୍ବରୁ ଦା ଇଣ୍ଡିଆନ ଏକ୍ସପ୍ରେସକୁ କହିଥିଲେ ଯେ ଏସପି ମୁଖ୍ୟ ଯାତ୍ରାରେ ଯୋଗଦେବାର ସମ୍ଭାବନା ନାହିଁ। କାରଣ ଏହି ଦିନ ଦଳର କାର୍ଯ୍ୟକ୍ରମ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇଛି।

ସେହିପରି କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପାଇଁ ମାୟାବତୀ ଓ ଜୟନ୍ତ ଚୌଧୁରୀଙ୍କୁ ମଧ୍ୟ ଆମନ୍ତ୍ରିତ କରିଛି। ଏନେଇ ମାୟାବତୀ ଟ୍ୱିଟ କରି କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ପାଇଁ ଶୁଭକାମନା ଏବଂ ଏହି ଯାତ୍ରାରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଥିବାରୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ।

Related Posts