ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁଆରୀ ୫ତାରିଖରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଉରକେଲାରେ ନିର୍ମାଣ ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ତେବେ ଏହା ପୂର୍ବରୁ ନିକଟରେ ରାଉରକେଲାର ବିକାଶର ମଡେଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସି ନିରାଶ ହୋଇଥିବା ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ବାଳ ସହରର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ହକି ବିଶ୍ବକପ ଲାଗି ରାଉରକେଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ପ୍ରଦୂଷଣକୁ ରୋକିବା ଲାଗି କିଛି କଳ କାରଖାନକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ଖେଳାଳି ଓ ବିଦେଶୀ ନାଗରିକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହା ସବୁ କରାଯାଉଥିବା ବେଳେ ରାଉରକେଲାବାସୀଙ୍କ ପାଇଁ ଆଜି ଯାଏଁ କାହିଁକି ଚୁପ ରହିଥିଲେ ? ରାଉରକେଲାବାସୀ କଣ ମଣିଷ ନୁହଁନ୍ତି ବୋଲି ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ୫ ପ୍ରଶ୍ନ:-
•ରାଉରକେଲା ସରକାରୀ ଡାକ୍ତରଖାନାର ସ୍ଥିତି କେମିତି ଅଛି ?
•ରାଉରକେଲାରେ ପାଣି ପବନ ଯେ ବିଷାକ୍ତ, କଣ ଆଜି ଜାଣିଲେ ସରକାର ?
•ପୂର୍ବରୁ ଦେଇଥିବା ପ୍ରତିଶୃତି ମୁଖ୍ୟମନ୍ତ୍ରୀଙ୍କର ମନେ ଅଛି ତ ?
•ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ହକିର ବିକାଶ ତଥା ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସରକାର କେତେ ସଚେତନ ?
•ଷ୍ଟିଲପ୍ଲାଣ୍ଟର କାରଖାନା ବନ୍ଦ ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି ?
ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନବାଣ ମାରିଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ । ହକିର ଏନ୍ତୁଡ଼ିଶାଳ ରାଉରକେଲା ମାଟିରେ ହକି ବିଶ୍ବକପ ହେବା ନିଶ୍ଚିତ ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ । ହେଲେ ସହରର ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଛନ୍ତି । ହକି ବିଶ୍ବକପ ପାଇଁ ସହରକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିବେ । ତେବେ ଏଭଳି ସ୍ଥିତିରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ଥିତି କିପରି ଅଛି ସେନେଇ ସରକାର ଅବଗତ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏନେଇ ସେ କହିଛନ୍ତି ଯେ, “ହକି ବିଶ୍ବକପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କିନ୍ତୁ ଛୋଟବଡ଼ ଅଘଟଣ ଘଟିଲେ ଜୀବନ ବଞ୍ଚାଇବାକୁ ଲୋକେ କେଉଁ ଡାକ୍ତରଖାନାକୁ ଯିବେ ? ସରକାର ରାଉରକେଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ସରକାର ଅବଗତ ଅଛନ୍ତି ତ ? ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରସ୍ତୁତି ଶେଷ କରିଛନ୍ତି ତ ?”
ରାଉରକେଲା ସହରର ପାଣିପବନ ବିଷାକ୍ତ ସମ୍ପର୍କରେ ମୁକ୍ତିକାନ୍ତ କହିଛନ୍ତି ଯେ, “ପ୍ରଦୂଷଣକୁ ନେଇ ରାଉରକେଲାବାସୀଙ୍କ ସୁରକ୍ଷାକୁ ଅଣଦେଖା କରୁଥିବା ସରକାର ଆଜି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ରାଉରକେଲାର ପାଣି ପବନ ଆଦି ବିଷାକ୍ତ ପାଲଟିଥିବା ବେଳେ ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପର୍ଯ୍ୟନ୍ତ ରାଉରକେଲାବାସୀଙ୍କ ଜୀବନ ପ୍ରତି ଖେଳ ଖେଳି ଚାଲିଥିଲେ । ହକି ବିଶ୍ବକପ ସମୟରେ ପ୍ରଦୂଷଣ ଧରା ପଡିଯିବା ଭୟରେ ୨୨ଟି ସ୍ପଞ୍ଜ କାରଖାନାକୁ ପ୍ରଶାସନ ପକ୍ଷରୁ ଜାନୁଆରୀ ୧ରୁ ବନ୍ଦ କରାଯାଇଛି । ତେବେ ହକି ବିଶ୍ବକପ ପରେ ମଧ୍ୟ ରାଉରକେଲାବାସୀଙ୍କ ଜୀବନକୁ ଗୁରୁତ୍ବଦେଇ ପ୍ରଦୂଷଣ ରୋକାଯିବ ନା ଯଥାପୂର୍ବଂ ତଥାପରଂ ସ୍ଥିତିରେ ଚାଲିବ ?
ମୁଖ୍ୟମନ୍ତ୍ରୀ ପୂର୍ବରୁ ସହରବାସୀଙ୍କୁ ଅନେକ ପ୍ରତିଶୃତି ଦେଇଛନ୍ତି । ଏନେଇ ମୁକ୍ତିକାନ୍ତ କହିଛନ୍ତି ଯେ, “ଆମ ମୁଖ୍ୟମନ୍ତ୍ରୀ ରାଉରକେଲା ଆସିବେ, ଆଗରୁ ମଧ୍ୟ ଆସିଛନ୍ତି । ୨୦୧୩ ମସିହାରେ ରାଉରକେଲା ଯାଇ ଡାକ୍ତରଖାନା, କୋଏଲ ନଦୀରେ ବ୍ୟାରେଜ, ରିଂ ରୋଡ୍ ଓ ଶୀତଳ ଭଣ୍ଡାର ଆଦିର ପ୍ରତିଶ୍ରୁତି ସହିତ ଶିଳାନ୍ୟାସ କରିଥିଲେ । ଏହିସବୁ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କର ମନେ ଅଛି ତ ? ଏସବୁ କାର୍ଯ୍ୟର ଅନୁଧ୍ୟାନ କରିବେ ନା ନାହିଁ ? ଯଦି ଭୁଲି ଯାଇଛନ୍ତି, ଆମେ ପୁନର୍ବାର ମନେପକାଇ ଦେଉଛୁ ।” ଏହାସହିତ ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ହକିର ବିକାଶ ତଥା ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସରକାର କେତେ ସଚେତନ ବୋଲି ମୁକ୍ତିକାନ୍ତ ପ୍ରଶ୍ନ କରିଛନ୍ତି ।
ହକି ପାଇଁ ରାଜ୍ୟ ସରକାର ଷ୍ଟିଲପ୍ଲାଣ୍ଟର ପ୍ରାୟ ୩ଟି ୟୁନିଟ ଓ ୨୨ଟି କାରଖାନାକୁ ସରକାର ବନ୍ଦ କରିଦେଉଛନ୍ତି । ତେବେ ଏହି କାରଖାନା ବନ୍ଦ କରିବା ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଥଇଥାନ ଲାଗି ସରକାର କଣ ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ସୂଚନା ଦିଅନ୍ତୁ ବୋଲି ମୁକ୍ତିକାନ୍ତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହାର ଉତ୍ତର ରଖିବେ ବୋଲି ଆଶା କରିଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କି ନାହିଁ ପ୍ରଶ୍ନରେ ଉତ୍ତର ଦେଇ ମୁକ୍ତିକାନ୍ତ କହିଛନ୍ତି ଏ ନେଇ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ।
