ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଆଜି ଭୁବନେଶ୍ୱର ଏମ୍ସର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡଃ. ମନସୁଖ ମାଣ୍ଡଭ୍ୟଙ୍କ ଦ୍ଵାରା ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଏମ୍ସ ଭୁବନେଶ୍ଵରର ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍। ଏଥିସହ କ୍ରିଟିକାଲ୍ କେୟାର୍ ହସ୍ପିଟାଲ୍ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ଚତୁର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହିଛନ୍ତି । ଏହି ଅବସରରେ ମେଧାବୀ ଛାତ୍ରଛତ୍ରୀଙ୍କୁ ସ୍ଵର୍ଣ୍ଣପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭେୟ ଏମ୍ସ ଭୁବନେଶ୍ବର ପରିସରରେ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏନଟିପିସି ସହାୟତାରେ ପ୍ରାୟ ୧୯.୮୭ କୋଟି ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟର୍ରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ୍ ସମେତ ୩୬ଟି ଶଯ୍ୟା ରହିଛି। ୨୫ ଅଗଷ୍ଟ ୨୦୧୮ରେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁଙ୍କ ଦ୍ବାରା ଏହି ବର୍ଣ୍ଣ ସେଣ୍ଟର୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ କୁହାଯାଉଥିବା ଏହି ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ପୋଡ଼ାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ।

ଏଥିସହିତ ସମାବର୍ତ୍ତନ ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ବାରା ଏମ୍ସରେ ଏକ କ୍ରିଟିକାଲ୍ କେୟାର ହସ୍ପିଟାଲ୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍-ଆଭିମ୍) ଯୋଜନା ଅନ୍ତର୍ଗତ ଦେଢ଼ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ର ବ୍ୟୟ ଅଟକଳ ପ୍ରାୟ ୧୯୨ କୋଟି ରଖାଯାଇଛି। କୋଭିଡ୍ ମହାମାରୀ ପରେ ସଂକ୍ରମଣଜନିତ ରୋଗ ନିମନ୍ତେ ଏପରି କ୍ରିଟିକାଲ୍ କେୟାର୍ ହସ୍ପିଟାଲ ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।
