ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ଆଜି ସକାଳୁ ସକାଳୁ ପୁଣି କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ହଠାତ୍ ବିନା କୌଣସି ପୂର୍ବ ସୂଚନା ନଥାଇ ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୁଲିସ। ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ।

ତେବେ ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏହି ସମୟରେ ହାତରେ ପ୍ଲାକାର୍ଡ ଧରି ଚାଷୀମାନେ ନବୀନ ନିବାସ ଆଡ଼କୁ ଯାଉଥିଲେ। ଏହି ଆନ୍ଦୋଳନରେ ବହୁ ମହିଳା ଓ ଯୁବକ ମଧ୍ୟ ସାମିଲ ହୋଇଥିଲେ। ତେବେ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ, ମଣ୍ଡିରେ ଧାନର ଉଚିତ୍ ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ଦଲାଲମାନେ ମାଲାମାଲ ହେଉଛନ୍ତି, ଆଉ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।ମଣ୍ଡିରେ କଟନୀ ଛଟନୀକୁ ମଧ୍ୟ ସେମାନେ ତୀବ୍ର ବିରୋଧ କରିଛନ୍ତି। ଏନେଇ ବାରମ୍ବାର ପ୍ରତିବାଦ କରାଯିବା ପରେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।