ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପଞ୍ଜାବରେ ‘ଭାରତ ଯୋଡ଼ ଯାତ୍ରା’ ଜାରି ରହିଛି। ତେବେ କାଶ୍ମୀରରେ ଏହି ଯାତ୍ରା ଶେଷ ହେବାପରେ ‘ହାତ ସେ ହାତ ଯୋଡ ଯାତ୍ରା’ ଆରମ୍ଭ କରିବ କଂଗ୍ରେସ । ଆସନ୍ତା ଜାନୁଆରି ୨୬ରୁ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯିବ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ।
ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧିଙ୍କ ଏକ ପତ୍ର ସହ ପ୍ରତି ବ୍ଲକ, ଗାଁ ଓ ଘରେ ପହଞ୍ଚିବେ ଓ ରାହୁଲଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବେ । ଏହା ସହିତ ଲୋକମାନଙ୍କ ନିକଟରେ ମୋଦୀ ସରକାରଙ୍କ ବିଫଳତାକୁ ନେଇ ଏକ ଅଭିଯୋଗ ପତ୍ର ବି ଲୋକଙ୍କ ସମ୍ମୁଖରେ ରଖାଯିବ । ପ୍ରାୟ ଦୁଇ ମାସ ଧରି ଏହି ଅଭିଯାନ ଚାଲିବ । କଂଗ୍ରେସ କର୍ମୀମାନେ ଦେଶର ପ୍ରାୟ ଅଢେଇ ଲକ୍ଷ ଗ୍ରାମ ପଂଚାୟତ, ୬ ଲକ୍ଷ ଗ୍ରାମ ଓ ୧୦ ଲକ୍ଷରୁ ଅଧିକ ପୋଲିଂ ଷ୍ଟେସନରେ ପହଞ୍ଚିବେ । ରାହୁଲ ଗାନ୍ଧିଙ୍କ ଏକ ପତ୍ର ନେଇ କର୍ମୀମାନେ ଲୋକଙ୍କ ନିକଟରେ ପହଞ୍ଚିବ । ଏହି ପତ୍ର ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ରହିବ । ଏହି ପତ୍ର ମାଧ୍ୟମରେ ରାହୁଲ ଗାନ୍ଧି ନିଜର ଭାରତ ଯୋଡୋ ଯାତ୍ରାର ଅଭିଜ୍ଞତା ମଧ୍ୟ ଲୋକଙ୍କ ମଧ୍ୟରେ ବାଣ୍ଟିବେ ।
ସୂଚନାଯୋଗ୍ୟ ଯେ, ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସଭାପତିତ୍ବରେ ବସିଥିବା କଂଗ୍ରେସର ଏକ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା । ହାତ ସହ ହାତ ଯୋଡ ଯାତ୍ରା ଅଧିନରେ ମହିଳା ଯାତ୍ରା ଓ ପଦଯାତ୍ରା ପ୍ରତି ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବ ।





