ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଫସିଥିବା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଆଶ୍ଵସ୍ତି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି। ଏହି ଅଭିନେତ୍ରୀ ଜାନୁଆରୀ ୨୭ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ କୋର୍ଟରେ ଆବେଦନ କରିଥିଲେ। ଯାହା ଅନୁମୋଦନ ହୋଇଛି। ପୋସ୍ପିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୁବାଇ ଯିବାକୁ ପଡିବ ।
ଦୁବାଇରେ ପୋସ୍ପିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ଦିଲ୍ଲୀ କୋର୍ଟରେ ଦାଖଲ ହୋଇଥିବା ଆବେଦନ ପତ୍ରରେ ସେ କହିଛନ୍ତି। ତେବେ ୨୯ ଜାନୁୟାରୀ ରବିବାର ଦିନ ଧାର୍ଯ୍ୟ ହୋଇଥିବା କନ୍ସର୍ଟରେ ତାଙ୍କୁ ଷ୍ଟାର ପରଫର୍ମର ଭାବରେ ଡକାଯାଇଛି । କହିବାକୁ ଗଲେ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ମଧ୍ୟରୁ ଜ୍ୟାକଲିନ୍ ଅନ୍ୟତମ। ୧୫ ନଭେମ୍ଵର ୨୦୨୨ରେ ତାଙ୍କୁ ଏହି ମାମଲାରେ ନିୟମିତ ଜାମିନ ମିଳିଥିଲା। କହିବାକୁ ଗଲେ ତାଙ୍କୁ ଗିରଫ କରାଯାଇ ନଥିଲା । ଏହି ମାମଲାର ଶୁଣାଣି ଜାନୁଆରୀ ୨୩ରେ ପଟିଆଲା ହାଉସ କୋର୍ଟ ଦ୍ୱାରା ସ୍ଥଗିତ ରଖାଯାଇଥିଲା। ତେବେ କୋର୍ଟ ଶୁଣାଣି ଫେବୃଆରୀ ୧୫ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହିତ କୋର୍ଟ ଜ୍ୟାକଲିନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଛାଡି ଦେଇଥିଲେ।
୧୮ ଜାନୁୟାରୀରେ ଜ୍ୟାକଲିନ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଅଭିଯୋଗରେ ସୁକେଶଙ୍କ ବିରୋଧରେ ଗମ୍ଭୀର ଆରୋପ ଆଣିଥିଲେ। କହିଥିଲେ ଯେ ସୁକେଶ ତାଙ୍କ ଭାବନା ସହିତ ଖେଳିଥିଲେ ଏବଂ ତାଙ୍କ ଜୀବନ ଏବଂ କ୍ୟାରିୟରକୁ ନର୍କରେ ପରିଣତ କରି ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ଦାବି କରିଛନ୍ତି ଯେ ସୁକେଶ ତାଙ୍କୁ ସୂର୍ଯ୍ୟ ଟିଭିର ମାଲିକ ଭାବରେ ପରିଚିତ କରିଛନ୍ତି ଏବଂ ସେ ତାମିଲନାଡୁର ସ୍ୱର୍ଗତ ସିଏମ ଜୟଲଳିତାଙ୍କ ସମ୍ପର୍କୀୟ ବୋଲି ମଧ୍ୟ କହିଥିଲେ।





