ବିଧାନସଭାରେ ପୂର୍ବ ବର୍ଷର ବଜେଟ୍ ପଢ଼ିଲେ ଅଶୋକ ଗେହଲଟ୍‌, ବିରୋଧୀଙ୍କ ଜୋରଦାର ହଙ୍ଗାମା

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ ବେଳେ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବର୍ଷର ବଜେଟ୍‌ ଉପସ୍ଥାପନ କରିବାର ଥିଲା। ମାତ୍ର ସେ ଭୁଲ୍‌ବଶତଃ ବିଧାନସଭାରେ ଏବର୍ଷର ‌ବଜେଟ୍‌ ବଦଳରେ ଗତ ବର୍ଷର ବଜେଟ୍‌ ପଢ଼ିବା ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କ ବଜେଟ୍‌ ଭାଷଣ ଆରମ୍ଭ କରିବାର ୭ ମିନିଟ୍ ପର୍ଯ୍ୟନ୍ତ ପୁରୁଣା ବଜେଟ୍ ଭାଷଣକୁ ପଢ଼ିଥିଲେ। ଏହାପରେ ତାଙ୍କ ପାଖରେ ବସିଥିବା ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟାକାଇ ଦେଇଥିଲେ। ଫ‌ଳରେ ଗେହଲଟ୍‌ ଚୁପ୍‌ ହୋଇଯାଇ ‘କ୍ଷମା କରିବେ’ ବୋଲି କହିଥିଲେ। ମାତ୍ର ଏହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ମୁଖ୍ୟମନ୍ତ୍ରୀଙ୍କର ଏହି ତ୍ରୁଟି ଉପରେ ବିରୋଧୀମାନେ ମଧ୍ୟ ଗୃହରେ ଜୋରଦାର ହଙ୍ଗାମା କରିଥିଲେ।

ଶୁକ୍ରବାର ଗେହଲଟ୍‌ ତାଙ୍କର ବଜେଟ ଭାଷଣ ଆରମ୍ଭ କରିବା ବେ‌ଳେ ଗତ ବର୍ଷ କାର୍ଯ୍ୟକ‌ାରୀ ହୋଇଥିବା ପୁରୁଣା ଯୋଜନା ଓ ସହରୀ ବିକାଶ ଯୋଜନା ସଂପର୍କରେ ପଢ଼ିବା ଆରମ୍ଭ କରିଥିଲେ। ତାଙ୍କୁ କଂଗ୍ରେସ ମନ୍ତ୍ରୀ ମହେଶ ଜୋଶୀ ଅଟାକାଇବା ପରେ ସେ ତତ୍‌କ୍ଷଣାତ ଚୁପ୍‌ ହୋଇ ଯାଇଥିଲେ। ତେବେ ଏହାକୁ ନେଇ ଗୃହରେ ହଙ୍ଗାମା ସୃଷ୍ଟି ହୋଇଥିଲା । ବିରୋଧୀ ବିଜେପିର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା।

ତେବେ ଗେହଲଟ୍‌ଙ୍କ ଏଭଳି ଭୁଲ ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବଜେଟ୍ ଉପସ୍ଥାପନା ପୂର୍ବରୁ ପୁରା ଭାଷଣକୁ ବାରମ୍ବାର ପଢ଼ିଥାଏ। ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୭ ମିନିଟ୍ ପର୍ଯ୍ୟନ୍ତ ପୁରୁଣା ଭାଷଣ ପଢୁଥିଲେ ମଧ୍ୟ ଜାଣି ପରୁ ନାହାନ୍ତି। ଏଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଜ୍ୟ କିଭଳି ସୁରକ୍ଷିତ ତାହା ଜଣାପଡୁଛି। ସେପଟେ ବଜେଟ୍ ଲିକ୍ ହୋଇଛି କି ନାହିଁ ବୋଲି ବିଜେପି ନେତା ଗୁଲାବ ଚାନ୍ଦ କାଟାରିଆ ପ୍ରଶ୍ନ କରିଛନ୍ତି।

ତେବେ ଗେହଲଟ୍ ବଜେଟ ଲିକ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଭୁଲରେ ତାଙ୍କ ବଜେଟ୍ କପିରେ ଏକ ପୃଷ୍ଠା ଯୋଡ଼ି ହୋଇଥିବା ସେ କହିଥିଲେ। ଗୃହରେ ତାତି ଯୋଗୁ ବିଧାନସଭାର ପ୍ରକ୍ରିୟା ୩୦ ମିନିଟ ପାଇଁ ସ୍ଥଗିତ ରଖାଯାଇଥିଲା। ବିଧାନସଭା ବାଚସ୍ପତି ସିପି ଜୋଶୀ ଏହି ଭୁଲ ପାଇଁ କ୍ଷମା ମାଗି, କହିଛନ୍ତି ଯେ, ଏହି ଘଟଣା ଏକ ଭୁଲ ଇତିହାସ ସୃଷ୍ଟି କରିଛି। ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀଙ୍କ ଦାବି ଅନୁଯାୟୀ ବିଧାନସଭା ପ୍ରକ୍ରିୟାରୁ କିଛି ବିଲୋପ କରାଯିବ ନାହିଁ।

Related Posts