ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ଭୋଟ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ପରେ ମେୟର ନିର୍ବାଚନକୁ ନେଇ ଜାରି ରହିଥିବା ବିବାଦ ମଧ୍ଯରେ ଆଜି ବଡ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ । କେବଳ ନିର୍ବାଚିତ ପ୍ରତିନିଧିମାନେ ହିଁ ନିଜ ମତାଧିକାର ସାବ୍ୟସ୍ତ କରି ମେୟର ନିର୍ବାଚିତ କରିପାରିବେ ବୋଲି ସର୍ବୋଚ୍ଚ କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା । ଏହା ସମ୍ବିଧାନରେ ଅତ୍ୟନ୍ତ ସ୍ପଷ୍ଟ ଯେ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଆଜି ମାମଲାର ଶୁଣାଣି ସ୍ଥଗିତ ରହିଥିବା ବେଳେ ଶୁକ୍ରବାର ଏହାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

ତେବେ ଦିଲ୍ଲୀ ମହାନଗର (ଏମସିଡି) ନିର୍ବାଚନରେ ଶାସନରେ ଥିବା ଆମ ଆଦମୀ ପାର୍ଟିକୁ ଦୀର୍ଘ ବର୍ଷ ପରେ ବହୁମତ ମିଳିଛି । ୧୫ ବର୍ଷ ପରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇ ଆପ ବହୁମତ ହାସଲ କରିଛି । ଆମ ଆଦମୀ ପାର୍ଟିକୁ ୧୩୪ଟି ଆସନ ମିଳିଥିବା ବେଳେ ୧୦୪ ଟି ଆସନ ବିଜେପି ଖାତାକୁ ଯାଇଛି । ହେଲେ ମେୟର ନିର୍ବାଚନ ପାଇଁ ଆପ-ବିଜେପି ମଧ୍ୟରେ ବିବାଦ ଲାଗିରହିଛି । ଏକାଧିକ ଥର ଭୋଟିଂ ପାଇଁ ତାରିଖ ସ୍ଥିର ହୋଇ ମଧ୍ୟ ହଟ୍ଟଗୋଳ ଯୋଗୁ ତାହା ହୋଇପାରିନାହିଁ । ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଯାହାକୁ ନେଇ ଆଜି ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରିବା ସହ ଶୁକ୍ରବାର ପରବର୍ତ୍ତୀ ଶୁଣାଣି କରିବାକୁ ଯାଉଛନ୍ତି ।

Related Posts