ଆଜି ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପଡ଼ୁଛି ଭୋଟ; ମୋଟ୍ ୬୦ ଆସନ ପାଇଁ ମଇଦାନରେ ୨୫୯ ପ୍ରାର୍ଥୀ

ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ଆଜି ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପଡ଼ୁଛି ଭୋଟ । ମୋଟ ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ । ସକାଳୁ ଲମ୍ବା ଧାଡିରେ ଠିଆ ହୋଇ ଭୋଟମାନେ ଭୋଟ ଦେଉଛନ୍ତି । ତେବେ ତ୍ରିପୁରାର ମୋଟ ୨୮.୧୩ ଲକ୍ଷ ଭୋଟର ଆଜି ନିଜ ନେତା ବାଛିବେ। ମଇଦାନରେ ଥିବା ମୋଟ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ ବାକ୍ସରେ ସିଲ୍‌ ହେବ ।ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ ।ଏଥିନିମନ୍ତେ ୩, ୩୩୭ ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ୧୧ ଶହ ସମ୍ବେଦନଶୀଳ ବୁଥ୍‌ ବୋଲି ଚିହ୍ନଟ ହୋଇଥିବାରୁ କଡ଼ାକଡ଼ି ଭାବେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛିା ସକାଳ ୯ଟା ସୁଦ୍ଧା ୧୩.୬୯ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି।

ତେବେ ଗତ ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ୩୫ ବର୍ଷର ବାମଦଳର ଗଡ଼କୁ ଭାଙ୍ଗି ତ୍ରିପୁରାରେ ଧସେଇ ପଶିଥିଲା । ଏଥରର ନିର୍ବାଚନରେ ବିଜେପି-IPFT ସହ ମେଣ୍ଟରେ ଲଢ଼ୁଥିବା ବେଳେ କଂଗ୍ରେସ ବାମ ଦଳ ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛିା ତାସହ ଟିଏମସି ମଧ୍ୟ ନିର୍ବାଚନୀ ମଇଦାନରେ କଡ଼ା ଟକ୍କର ଦେଉଛିା ତେଣୁ ଏଥରର ନିର୍ବାଚନ ସରକାର ଓ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଶାସକ ବିଜେପି ନିଜ ଗଡ଼ ବଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଗାଦି ଛଡ଼ାଇ ନେବା ପାଇଁ ବାମ ଓ କଂଗ୍ରେସ ହାତ ମିଳାଇଛନ୍ତି।

ଆସନ୍ତା ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରାବାସୀ କାହାକୁ ନିଜ ନେତା ରୂପେ ଚୟନ କରିଛନ୍ତି। ଚଳିତ ନିର୍ବାଚନରେ ସ୍ପଷ୍ଟ ଜନମତ ପାଇ ପୁଣିଥରେ କ୍ଷମତାସୀନ ହେବା ବିଜେପି ପାଇଁ ବଡ ଚାଲେଞ୍ଜ ।

ତେବେ ଚଳିତ ନିର୍ବାଚନରେ ମୋଟ ୬୦ ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ସହ ମେଣ୍ଟ କରିଥିବା ଇଣ୍ଡିଜେନିଅସ ପିପୁଲସ ଫ୍ରଣ୍ଟ ଅଫ ତ୍ରିପୁରା ବା (IPFT) ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମେଣ୍ଟରେ ଥିବା ସିପିଆଇ, ଆରଏସପି ୪୭ଟି ଆସନରେ ଲଢେଇ କରୁଛନ୍ତି । ସେହିପରି ଆଞ୍ଚଳିକ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

Related Posts