ହାଇଦ୍ରାବାଦ ନଗରନିଗମ ନିର୍ବାଚନରେ ବିଜେପିକୁ ରୋକିବାକୁ ଏକାଠି ହେଲେ କେସିଆର-ଓୱେସି

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ହାଇଦ୍ରାବାଦ ନଗରନିଗମ ନିର୍ବାଚନରେ ଏମଏଲସି ସିଟ୍ ଆବଣ୍ଟିତ କରିବାକୁ ଏଆଇଏମଆଇଏମର ଅନୁରୋଧକୁ ଗ୍ରହଣ କରିଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ।ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମର୍ଥନ ଘୋଷଣା ପରେ ଏଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦିନ ଓୱେସୀ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ନଗର ନିଗମ ନିର୍ବାଚନରେ ଆମ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପାର୍ଟି ବିଆରଏସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ରାଜ୍ୟରେ ବିଜେପିକୁ ପରାଜିତ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଉଭୟ ଦଳ ଏବେ ବିଜେପି ଭୋଟରଙ୍କ ଉପରେ ନଜର ରଖିଛନ୍ତି ।

ସେପଟେ ନଗର ନିଗମ ନିର୍ବାଚନ ନେଇ ଏଆଇଏମଆଇଏମ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଆକଳନ କରାଯାଉଛି କି, ପାର୍ଟି ଚତୁର୍ଥଥର ପାଇଁ ସୟଦ ଅମିନୁଲ ହସନ ଜାଫରୀଙ୍କୁ ପୁଣି ପ୍ରାର୍ଥୀ କରିପାରେ ।

ସୂଚନାଯୋଗ୍ୟ ଯେ, ଦେଶରେ ଏକ ବିକଳ୍ପ ମେଣ୍ଟ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି । କିଛିଦିନ ପୂର୍ବେ ସେ ଦିଲ୍ଲୀ ଯାଇ ଅଣ ବିଜେପି ରାଜନୈତିକ ଦଳର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ । ହେଲେ ଏହା ଫଳପ୍ରଦ ହୋଇ ନଥିବା ଅନୁମାନ କରାଯାଉଛି । ଏହାପରେ ସେ ନିଜ ଦଳ ଭାରତ ରାଷ୍ଟ୍ରସମିତି ତରଫରୁ ତେଲେଙ୍ଗାନାରେ ଏକ ସଭା କରି ବିରୋଧୀଦଳର ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ ।

Related Posts