ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ଆମେରିକା ସହିତ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ପ୍ରତ୍ୟାହର କରିଛି ଋଷ। ଦିନକ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ୍ ଗସ୍ତରେ ଯିବା ପରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଏହି ନିଷ୍ପତ୍ତି ନେଇଛନ୍ତି। ପୁଟିନ୍ ମଙ୍ଗଳବାର କହିଛନ୍ତି ରୁଷ-ଆମେରିକା ଭିତରେ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ପ୍ରତ୍ୟାହୃତ କରାଯାଇଛି।ଏହି ଚୁକ୍ତି ‘ନ୍ୟୁ ଷ୍ଟାର୍ଟ ନ୍ୟୁକ୍ଲିୟର ଟ୍ରିଟ୍ରି’ ନାମରେ ଜଣାଯାଏ। ଯାହାକି ଦୁଇ ପକ୍ଷର ସାମରିକ ପରମାଣୁ ହତିଆରକୁ ସୀମିତ କରିବାକୁ ନେଇ ରହିଥିଲା।
ପୁଟିନ୍ ୟୁକ୍ରେନ୍ରେ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ଋଷ ସଂସଦରେ ଭାଷଣ ଦେବା ବେଳେ ସାଂସଦଙ୍କୁ କହିଛନ୍ତି, ମୁଁ ଆଜି ଏହା ଘୋଷଣା କରିବାକୁ ବାଧ୍ୟ ହେଉଛି ଯେ, ସାମରିକ ହତିଆର ଚୁକ୍ତିରେ ଋଷ ନିଜର ଭାଗିଦାରୀକୁ ପ୍ରତ୍ୟାହାର କରିଛି। ଉଲ୍ଲେଖନୀୟ ଯେ, ‘ନ୍ୟୁ ଷ୍ଟାର୍ଟ ନ୍ୟୁକ୍ଲିୟର ଟ୍ରିଟି’ ଉପରେ ପ୍ରାଗ୍ରେ ୨୦୧୦ ରେ ସାକ୍ଷର କରାଯାଇଥିଲା ଓ ଏହାକୁ ତା ପର ବର୍ଷ ଅର୍ଥାତ୍ ୨୦୧୧ରେ ଲାଗୁ କରାଯାଇଥିଲା। ଏହି ଚୁକ୍ତି ୨୦୨୬ ପର୍ଯ୍ୟନ୍ତ ଥିଲା। ଏହା ଋଷ-ଆମେରିକା ସହିତ କରିଥିବା ଏକ ମାତ୍ର ପରମାଣୁ ଚୁକ୍ତି ଥିଲା। ଏବେ ଏହାକୁ ଋଷ ପ୍ରତ୍ୟାହାର କରିଛି।





