ବିହାର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପାଟନା ହାଇକୋର୍ଟର ୭ ବିଚାରପତି

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ବିହାର ସରକାରଙ୍କ ବିରୋଧରେ ପାଟନା ହାଇକୋର୍ଟର ୭ ଜଣ ବିଚାରପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କର ଆବେଦନ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏହି ଆବେଦନରେ ସରକାର ସେମାନଙ୍କର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ ଆକାଉଣ୍ଟ ବନ୍ଦ ଥିବା ଦାବି କରାଯାଇଛି। ବିଚାରପତିଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଶୁକ୍ରବାର, ଫେବୃଆରୀ ୨୪ ତାରିଖ ସ୍ଥିର କରିଛନ୍ତି। ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁ଼ଡଙ୍କ ଖଣ୍ଡପୀଠ ଆଗରେ ଆବେଦନ କରିଛନ୍ତି ୭ ଜଣ ବିଚାରପତି।

ରିପୋର୍ଟ ଅନୁଯାୟୀ, ନିକଟରେ ବିହାର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଟନା ହାଇକୋର୍ଟର ବିଚାରପତିମାନେ ସୁପ୍ରିମକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନକାରୀଙ୍କ ପରାମର୍ଶଦାତା କହିଛନ୍ତି ଯେ ହାଇକୋର୍ଟର ବିଚାରପତିଙ୍କ ଜିପିଏଫ ଆକାଉଣ୍ଟକୁ ସରକାର ବନ୍ଦ କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାର ଆବଶ୍ୟକତା ରହିଛି।

ଜଷ୍ଟିସ ଶୈଳେନ୍ଦ୍ର ସିଂ, ଅରୁଣ କୁମାର ଝା, ଜିତେନ୍ଦ୍ର କୁମାର, ଆଲୋକ କୁମାର ପାଣ୍ଡେ, ସୁନୀଲ ଦତ୍ତ ମିଶ୍ର, ଚନ୍ଦ୍ରପ୍ରକାଶ ସିଂ ଏବଂ ଚନ୍ଦ୍ରଶେଖର ଝାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହି ସମସ୍ତ ବିଚାରପତିଙ୍କୁ ଜୁନ୍ ୨୨ ରେ ଜୁଡିସିଆଲ୍ ସର୍ଭିସେସ୍ କୋର୍ଟରୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ଖବର ଅନୁଯାୟୀ, ଆବେଦନ କରିଥିବା ବିଚାରପତିମାନେ ପ୍ରଥମେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ମାସରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ବିହାରର ସୁପରିୟର ଜୁଡିସିଆ ସିର୍ଭିସ ଅଧୀନରେ ଏମାନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଇଥିଲା। ଗତବର୍ଷ ସମସ୍ତଙ୍କୁ ପଦୋନ୍ନତି ମିଳିବା ସହ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ଯେତେବେଳେ ଏହି ବିଚାରପତିମାନେ ନ୍ୟାୟିକ ଅଧିକାରୀ ଥିଲେ ସେତେବେଳେ ସେମାନେ ଜାତୀୟ ପେନସନ ଯୋଜନାର ଅଂଶ ବିଶେଷ ହୋଇ ରହିଥିଲେ। ୨୦୧୬ରେ ବିହାର ସରକାର ଗୋଟିଏ ନୀତି ପ୍ରଣୟନ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଯେଉଁମାନେ ନୂଆ ପେନସନ ଯୋଜନାରୁ ପୁରୁଣା ପେନସନ ଯୋଜନାକୁ ସ୍ଥାନାନ୍ତରିତ ହୋଇଛନ୍ତି, ସେମାନଙ୍କୁ ଏନପିଏସ୍‌ ବାବଦ ଅର୍ଥ ମିଳିବ। ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଜିପିଏଫ ଆକାଉଣ୍ଟରେ ଜମା ହେବ।

ଏହିକ୍ରମରେ ଉପରୋକ୍ତ ୭ ଜଜ ହାଇକୋର୍ଟର ବିଚାରପତି ହେବା ପରେ ସେମାନଙ୍କୁ ଗୋଟିଏ ଲେଖାଏ ଜିପିଏଫ ଆକାଉଣ୍ଟ ମିଳିଥିଲା। ସେମାନେ ମଧ୍ୟ ଏନପିଏସ୍‌ ଅର୍ଥକୁ ଉଠାଇ ଉକ୍ତ ଆକାଉଣ୍ଟରେ ଜମା କରିଥିଲେ। ତେବେ ଏହି ବିଚାରପତିମାନେ ଜିପିଏଫ ଆକାଉଣ୍ଟକୁ ଯେଉଁ ଅର୍ଥ ଟ୍ରାନ୍ସଫର କରିଛନ୍ତି, ତା’ର ଆଇନଗତ ଦିଗ ସମ୍ପର୍କରେ ମତାମତ ଦେବାକୁ ଗତବର୍ଷ ନଭେମ୍ବର ମାସରେ ବିହାରର ଆକାଉଣ୍ଟ ଜେନେରାଲ ଦେଶର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା। ମନ୍ତ୍ରଣାଳୟ ମତାମତ ଦେବା ପରେ ବିହାର ସରକାର ସମସ୍ତ ୭ ବିଚାରପତିଙ୍କ ଜିପିଏଫ ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି।

Related Posts