ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ବରିଷ୍ଠ ନେତା ଇଡାପ୍ପାଡି ପଲାନିସ୍ୱାମୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ସେ ପୂର୍ବଭଳି ଦଳର ଅନ୍ତରୀଣ ସାଧାରଣ ସମ୍ପାଦକ ବା ମୁଖିଆ ଭାବେ କାର୍ଯ୍ୟ କରିବେ। ଏନେଇ ଆଜି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ ପନ୍ନୀରସେଲଭମଙ୍କୁ ଶକ୍ତ ଝଟକା ଦେଇଛି। କାରଣ ଜେ ଜୟଲଳିତାଙ୍କ ପରଲୋକ ପରେ ପନ୍ନୀରସେଲଭମ ଏଆଇଏଡିଏମକେକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏହାକୁ ପଲାନିସ୍ୱାମୀ ବିରୋଧ କରିଥିଲେ। ଏଥିସହ ସେ ଦଳର ମୁଖିଆ ଭାବେ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ।
ଦୁଇ ଦଳୀୟ ନେତାଙ୍କ ବିରୋଧରେ ତିକ୍ତତା ବଢ଼ିବାରୁ ମାମଲା କୋର୍ଟରେ ପହଞ୍ଚିଥିଲା। ମାଡ୍ରାସ ହାଇକୋର୍ଟ ପ୍ରଥମେ ଏହି ମାମଲାର ଶୁଣାଣି କରିଥିଲେ। ଗତବର୍ଷ ଜୁଲାଇ ମାସରେ ଦଳ ପକ୍ଷରୁ ବିବାଦୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଦଳର ବାଇଲ’କୁ ପରିବର୍ତ୍ତନ କରାଯାଇଥିଲା।
ତେବେ ମାଡ୍ରାସ ହାଇକୋର୍ଟ ପଲାନିସ୍ୱାମୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାକୁ ପନ୍ନୀରସେଲଭମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ସର୍ବୋଚ୍ଚ ଅଦାଲତ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।
ଜୁଲାଇ ମାସରେ ହୋଇଥିବା ବୈଠକରେ ପଲାନିସ୍ୱାମୀ ଗୋଷ୍ଠୀ ସର୍ବସମ୍ମତିକ୍ରମେ ପନ୍ନୀରସେଲଭମଙ୍କୁ ଦଳରୁ ବିଦା କରିଥିଲେ। ଏହାପରେ ପନ୍ନୀରସେଲଭମଙ୍କୁ ସବୁ ଦାୟିତ୍ୱ ଦିଆଯାଇଥିଲା। ମାଡ୍ରାସ ହାଇକୋର୍ଟ ଇପିଏସଙ୍କ ଆବେଦକୁ ଅନୁମତି ଦେଇ ପନ୍ନୀରସେଲଭମଙ୍କ ସପକ୍ଷରେ ରାୟ ଦେଇଥିଲେ।
ସୁପ୍ରିମ ରାୟ ପରେ ପଲାନିସ୍ୱାମୀ କହିଛନ୍ତି, “ମୋର ପ୍ରଥମେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଦ୍ୱନ୍ଦ୍ୱ ରହିଥିଲା। ହେଲେ ସୁପ୍ରିମକୋର୍ଟ ତାମିଲନାଡୁରେ ଡିଏମକେର ଛତ୍ରଛାୟା ତଳେ ବି’ ଟିମ ଭାବେ କାମ କରୁଥିବା ଗୋଷ୍ଠୀର ପର୍ଦ୍ଦାଫାସ କରିଛନ୍ତି। ଜୟଲଳିତା ବିଧାନସଭାରେ କହିଥିଲେ ଯେ ଏହି ଦଳ ୧୦୦ ବର୍ଷ ଶାସନ କରିବ। ସୁପ୍ରିମକୋର୍ଟ ରାୟ ପରେ ଏହା କଥା ନିଶ୍ଚିତ ହୋଇଛି।”
ରାୟ ପରେ ପଲାନିସ୍ୱାମୀଙ୍କ ସମର୍ଥକମାନେ ଚେନ୍ନାଇରେ ଥିବା ଏଆଇଏଡିଏମକେ ମୁଖ୍ୟାଳୟରେ ଉତ୍ସବ ମନାଇଛନ୍ତି। ସେମାବେ ବାଣ ଫୁଟାଇବା ସହ ସାଲେମର ଶକ୍ତିଶାଳୀ ଚେହେରା ଇପିଏସଙ୍କ କଟ ଆଉଟରେ କ୍ଷୀର ଢାଳିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଐତିହାସିକ ବୋଲି ଏଆଇଏଡିଏମକର ବରିଷ୍ଠ ନେତା ଡି ଜୟ କୁମାର କହିଛନ୍ତି।





