ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଛି । ଗୁରୁବାର ଖେଳାଯାଇଥିବା ଏକ ହାଇଭୋଲ୍ଟେଜ୍‌ ସେମିଫାଇନାଲ୍‌ ମ୍ୟାଚ୍‌ରେ ଓଡ଼ିଶା ୬-୪ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରି କଡ଼ା ଟକ୍କର ଦେଇଛି । ବିକ୍ରମ ଓରାମଙ୍କ ବ୍ୟକ୍ତିଗତ ହ୍ୟାଟ୍ରିକ୍‌ ଗୋଲ୍‌ ଓଡ଼ିଶାର ଏହି ରୋମାଞ୍ଚକର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ମ୍ୟାଚ୍‌ର ଆରମ୍ଭରୁ ପଞ୍ଜାବ ଓଡ଼ିଶା ଉପରେ ଚାପ ସୃଷ୍ଟି କରିଥିଲା । ସପ୍ତମ ଓ ଅଷ୍ଟମ ମିନିଟ୍‌ରେ ଅମନଦୀପ ଓ ମନଦୀପ ସିଂହ ଲଗାତାର ୨ଟି ଗୋଲ୍‌ ଦେଇ ପଞ୍ଜାବକୁ ୨-୦ରେ ଆଗୁଆ କରିଦେଇଥିଲେ । ତେବେ ୧୧ତମ ମିନିଟ୍‌ରେ ଆଲୋକ କୁଜୁର ଗୋଲ୍‌ କରି ଓଡ଼ିଶା ପାଇଁ ଖାତା ଖୋଲିଥିଲେ । ପ୍ରଥମ କ୍ୱାର୍ଟର ୧-୨ରେ ଶେଷ ହେବା ପରେ, ଦ୍ୱିତୀୟ କ୍ୱାର୍ଟରର ୨୮ତମ ମିନିଟ୍‌ରେ ବିକ୍ରମ ଓରାମ ଗୋଲ୍‌ କରି ସ୍କୋର୍‌କୁ ୨-୨ ସମାନ ସ୍ଥିତିକି ଆଣିଥିଲେ ।

ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଦୁଇ ଦଳ ମଧ୍ୟରେ ଗୋଲ୍‌ ଦେବାର ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ୩୪ତମ ମିନିଟ୍‌ରେ ଅଜୟ ପାଲ୍‌ ଗୋଲ୍‌ କରି ପଞ୍ଜାବକୁ ପୁଣି ୩-୨ରେ ଆଗୁଆ କରିଥିଲେ । ମାତ୍ର ୩୭ତମ ମିନିଟ୍‌ରେ ଓଡ଼ିଶା ଅଧିନାୟକ ଦୀପକ ପ୍ରଧାନ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ କରି ସ୍ଥିତି ୩-୩ କରିଥିଲେ । ୪୧ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ ବିକ୍ରମ ଗୋଲ୍‌ କରି ଓଡ଼ିଶାକୁ ପ୍ରଥମ ଥର ଆଗୁଆ (୪-୩) କରିଥିଲେ । ପର ମିନିଟ୍‌ରେ ପଞ୍ଜାବର ଅମନଦୀପ (୪୨ ମିନିଟ୍‌) ନିଜର ଦ୍ୱିତୀୟ ଗୋଲ୍‌ କରି ସ୍କୋର୍‌ ୪-୪ କରିଦେଇଥିଲେ ।

ମ୍ୟାଚ୍‌ର ଶେଷ ଭାଗରେ ଓଡ଼ିଶା ପକ୍ଷରୁ ସାଂଘାତିକ ଆକ୍ରମଣ ଦେଖିବାକୁ ମିଳିଥିଲା । ୫୨ତମ ମିନିଟ୍‌ରେ ଓଡ଼ିଶାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ବିକ୍ରମ ନିଜର ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଦଳକୁ ୫-୪ରେ ଆଗୁଆ କରିଥିଲେ । ଶେଷରେ ୫୯ତମ ମିନିଟ୍‌ରେ ସୁଜିତ ତିର୍କି ଏକ ସ୍ମରଣୀୟ ଫିଲ୍ଡ ଗୋଲ୍‌ କରି ଓଡ଼ିଶାର ୬-୪ ଗୋଲ୍‌ରେ ବିଜୟ ନିଶ୍ଚିତ କରିବା ସହ ଫାଇନାଲ୍‌ ଟିକେଟ୍‌ ପକ୍କା କରିଥିଲେ ।