କଟକରେ ପୁଣି ଠାବ ହେଲା ଜାଲ୍‌ ଔଷଧ; ଚୌଧୁରୀବଜାରରୁ ୨ ଲକ୍ଷ ନକଲି ‘ଓ-ଟୁ’ ବଟିକା ଜବତ, ଶ୍ରୀ ଡିଷ୍ଟ୍ରିବ୍ୟୁଟର୍‌ ମାଲିକ ଥାନାରେ ଅଟକ

ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): ବାରମ୍ବାର ଯାଞ୍ଚ୍‌ ଓ ଧରପଗଡ଼ ସତ୍ତ୍ୱେ ନକଲି ଔଷଧ ବେପାର ଥମିବାର ନାଁ ନେଉନି । ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଧରାଯିବା ସହିତ ଅଧ ଡଜନ୍‌ରୁ ଅଧିକ ବେପାରୀ ଗିରଫ ହେବା ପରେ ବି ଏଭଳି ଔଷଧର ବେପାର ଏବେ ବି ଖୁଲମ୍‌ଖୁଲା ଚାଲୁଥିବାର ଆଭାସ ମିଳୁଛି । ପୂର୍ବରୁ ରକ୍ତଚାପ ଓ ଗ୍ୟାସ୍‌ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଔଷଧର ନକଲି ବଟିକା ବଜାରରୁ ଜବତ ହୋଇଥିବା ବେଳେ ଏବେ ଝାଡ଼ା ରୋଗ ନିୟନ୍ତ୍ରଣରେ ବହୁଳ ଭାବେ ବ୍ୟବହାର ହେଉଥିବା ‘ଓ-ଟୁ’ (ଓଫ୍ଲୋକ୍ସାସିନ୍‌ ଏବଂ ଓରିଣ୍ଡାଜୋଲ୍‌)ର ନକଲି ବଟିକା ପ୍ରଚୁର ପରିମାଣରେ ଜବତ ହୋଇଛି । ପ୍ରତିଷ୍ଠିତ ଔଷଧ ନିର୍ମାଣକାରୀ ସଂସ୍ଥା ‘ମେଡ୍‌ଲେ’ କମ୍ପାନୀର ଏହି ଓ-ଟୁ ଔଷଧକୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଥିଲା ବୋଲି ଚଢ଼ଉ ପରେ ଜଣାପଡ଼ିଛି ।

ଡ୍ରଗ୍ସ କଂଟ୍ରୋଲରଙ୍କ ପକ୍ଷରୁ କଟକ ଚୌଧୁରୀବଜାରରେ ଥିବା ଏକ ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଉପରେ ଚଢ଼ଉ କରି ଏଭଳି ନକଲି ଔଷଧର ୧୨ଶହ ଷ୍ଟ୍ରିପ୍‌ ଅର୍ଥାତ୍ ୨ ଲକ୍ଷ ବଟିକା ଜବତ କରାଯାଇଛି । ଏହି ବିଷୟ ଜଣାପଡ଼ିବା ପରେ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଉକ୍ତ ଏଜେନ୍ସି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଅଧିକ ତଦନ୍ତ ପାଇଁ ଘଟଣା ସଂପର୍କରେ ଦର୍ଶାଯାଇ ଏକ ଏତଲା ପୁରୀଘାଟ ଥାନାରେ ଦିଆଯାଇଛି । ପୁଲିସ ଅଭିଯୋଗ ପାଇବା ପରେ ଉକ୍ତ ଏଜେନ୍ସିର ମାଲିକ ବିଜୟ ଅଗ୍ରୱାଲ୍‌ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଔଷଧ ନିୟନ୍ତ୍ରକ ଜାଣିବାକୁ ପାଇଥିଲେ କି, କଟକର କିଛି ଦୋକାନରେ ନକଲି ଔଷଧ ବିକ୍ରି ହେଉଛି । ଏନେଇ ଯାଞ୍ଚ କରାଯିବାରୁ ଘଟଣାରେ ସତ୍ୟତା ଥିବା ଜଣାପଡ଼ିଲା । ପ୍ରଥମେ ମ୍ୟାନ୍‌କାଇଣ୍ଡ୍‌ କମ୍ପାନୀର ଟେଲ୍‌ମା-୪୦ ରକ୍ତଚାପ ନିୟନ୍ତ୍ରଣ ଔଷଧର ନକଲି ହେଉଥିବା ଜଣାପଡ଼ିବା ସହିତ ଏନେଇ ଉଭୟ ଔଷଧ ନିୟନ୍ତ୍ରକ ଓ ପୁଲିସ ତନାଘନା କରିଥିଲେ । ପ୍ରଚୁର ପରିମାଣର ନକଲି ଔଷଧ ଜବତ ହେବା ସହିତ ବହୁ ଏଜେନ୍ସି ମାଲିକ ଗିରଫ ହୋଇଥିଲେ । ଏପରିକି ଏହି ଲିଙ୍କ୍‌ରେ ଏହାର ବିହାରରୁ ମଧ୍ୟ ଜଣେ ବ୍ୟବସାୟୀ ଗିରଫ ହୋଇଥିଲେ । ତେବେ ଗତ ଅକ୍ଟୋବର ମାସରେ ଏନେଇ ଖୋଳତାଡ଼ ହେବା ବେଳେ ଚୌଧୁରୀବଜାରର ଶ୍ରୀ ଡିଷ୍ଟିବ୍ୟୁଟର ପାଖରୁ କିଛି ସନ୍ଦିଗ୍ଧ ‘ଓ-ଟୁ’ ଝାଡ଼ା ନିୟନ୍ତ୍ରଣ ଔଷଧ ଜବତ ହୋଇଥିଲା । ତେଣୁ ସେହି ଔଷଧକୁ ପରୀକ୍ଷା ପାଇଁ ରାଜ୍ୟ ପରୀକ୍ଷାଗାର ଓ ସମାନ୍ତରାଳ ଭାବେ ମେଡ୍‌ଲେ କମ୍ପାନୀକୁ ପଠାଯାଇଥିଲା । ତାର ରିପୋର୍ଟ ଉଭୟ ସ୍ଥାନରୁ ଆସିବା ପରେ ଉକ୍ତ ମେଡ଼ିସିନ୍‌ ନକଲି ବୋଲି ଜଣାପଡ଼ିଲା । ତେଣୁ ଔଷଧ ନିୟନ୍ତ୍ରକଙ୍କ ପକ୍ଷରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏନେଇ ଏକ ମାମଲା ରୁଜୁ କରାଯାଇଥିଲା ।

ଏଥି ସହିତ ଶ୍ରୀ ଡିଷ୍ଟ୍ରିବ୍ୟୁଟରକୁ ତାଗିଦ୍‌ କରାଯାଇଥିଲା ଯେ, ସେ ବଜାରକୁ ପଠାଇଥିବା ଏହି ଧରଣର ସବୁ ଔଷଧକୁ ଫେରସ୍ତ ଆଣିବ । ଏଜେନ୍ସି ସେଭଳି ପ୍ରାୟ ୧୨ଶହ ଷ୍ଟ୍ରିପ୍‌ ଔଷଧ ଫେରସ୍ତ ଆଣିବା ପରେ ସେଗୁଡ଼ିକୁ ଔଷଧ ନିୟନ୍ତ୍ରକ ଜବତ କରିଛି । ଏହା ପରେ ଆଜି ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ର (ଏସ୍‌ଟିଏଫ) ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ଦୋଳମଣୀ ପଟେଲଙ୍କ ନିର୍ଦ୍ଦେଶରେ ସହକାରୀ ଡ୍ରଗ୍ସ କଂଟ୍ରୋଲର ତୁଷାର ରଂଜନ ପାଣିଗ୍ରାହୀ, କଟକ ସର୍କଲ୍‌-୧ର ସହକାରୀ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣ ଓ ଏସ୍‌ଟିଏଫ୍‌ର ସଦସ୍ୟ ହରିପ୍ରିୟା ମଲ୍ଳିକ ପ୍ରମୁଖ ପୁରୀଘାଟ ଥାନାକୁ ଯାଇ ଏତଲା ଦାୟର କରିଛନ୍ତି । ପରେ ପୁରୀଘାଟ ପୁଲିସ ଶ୍ରୀ ଡିଷ୍ଟିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ଆଣି ଥାନାରେ ରଖି ପଚରାଉଚରା କରୁଛି ।

Related Posts