ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ଦେଉଥିବା ବେଳେ ଗରିବ ଲୋକଙ୍କୁ ସେମାନଙ୍କର ହକର ଘର ଦେବାରେ ଓଡ଼ିଶାରେ ଶାସକ ବିଜେଡି ଏତେ ସମ୍ବେଦନହୀନତା କଣ ପାଇଁ ବୋଲି ପ୍ରଶ୍ନ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀରେ ଶାସକ ଦଳ ବିଜେଡିର ଭୂମିକା “ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇନି” ସଦୃଶ ବୋଲି ଆଜି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି ଯେ, ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ହସ୍ତକ୍ଷେପ ଓ କେନ୍ଦ୍ର ଗ୍ରାମୀଣ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ କାରଣରୁ ଓଡ଼ିଶାକୁ ଅଧିକ ଘର ଆସୁଛି । ନିକଟରେ ମୋଦି ସରକାର ଓଡ଼ିଶାକୁ ମୋଟ ପ୍ରାୟ ୨୮ ଲକ୍ଷ ଘର ଦେଇଛନ୍ତି । ଏହା ସତ୍ୱେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କ୍ରିୟାନ୍ୱୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇ ଆସୁଛି । ଓଡ଼ିଶା ସରକାରଙ୍କ ଅପାରଗତା ଓ ସମ୍ବେଦନହୀନତା ଯୋଗୁ ଆଜି ବି ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୁଣ୍ଡ ଉପରେ ଛାତ ନାହିଁ । ଆବାସରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ନେଇ କେନ୍ଦ୍ର ରିପୋର୍ଟ ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ।
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଚୂଡ଼ାନ୍ତ ଆବାସ ପ୍ଲସ ତାଲିକାରେ ୮ ଲକ୍ଷ ୧୭ ହଜାର ୫୧୩ ଘର ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ଶାସକ ଦଳର ଭୋଟ୍ ହାର ଅଧିକ ଥିବା ଜିଲ୍ଲାରେ ଜାଣିଶୁଣି ଅଧିକ ଘର ପ୍ରଦାନ କରିଥିଲେ । ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲା ଜନଜାତି ବହୁଳ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳ ଯଥା ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, କନ୍ଧମାଳ, ଦେବଗଡ଼ ଏବଂ ସୋନପୁରକୁ ମାତ୍ର ୬ହଜାର ୬୪୮ ଘର ଆବଣ୍ଟନ କରାଯାଇଛି । ଘର ଆବଣ୍ଟନରେ ଏତେ ପାତର ଅନ୍ତର କଣ ପାଇଁ ? ଭୋଟ ରାଜନୀତି ପାଇଁ ନବୀନ ବାବୁ ଧୃତରାଷ୍ଟ୍ର ସାଜିଥିବା ବେଳେ ଗରିବ, ଆଦିବାସୀ, ପଛୁଆ ବର୍ଗ କାହିଁକି ଘର ପାଇବାରୁ ବଞ୍ଚିତ ହେବେ ?
ହିତାଧିକାରୀ ଚୟନରେ ଚଞ୍ଚକତା ହୋଇଛି । ଓଡ଼ିଶା ସରକାର ଦ୍ୱାରା ଦିଆଯାଇଥିବା କାର୍ଯ୍ୟାଦେଶ ମଧ୍ୟରୁ ୩୭ ପ୍ରତିଶତ କାର୍ଯ୍ୟାଦେଶରେ କିଛି ନା କିଛି ବଦଳାବଦଳି କରାଯାଇଛି। ଯାହା କି ସବୁ ରାଜ୍ୟ ମାନଙ୍କଠୁ ଅଧିକ । ସରକାରଙ୍କ ହିତାଧିକାରୀ ଚୟନରେ ଏହି ଚଞ୍ଚକତା, ଏହା ପ୍ରମାଣ ହେଉଛି ଏହି ସରକାର ଲୋକ ସ୍ୱାର୍ଥରେ ନୁହେଁ ନିଜ ସ୍ୱାର୍ଥ ପାଇଁ କାମ କରେ । ରାଜ୍ୟ ସରକାର ମାର୍ଚ୍ଚ ୨୦୧୯ ସୁଦ୍ଧା ଆବାସ ପ୍ଲସ ସର୍ଭେ କଣ ପାଇଁ କରି ନଥିଲେ? ସରକାରଙ୍କ ଏହି ସ୍ଥାଣୁତା ଓ ଅପାରଗତାର ଫଳ ଆଜି ଗରିବ ଓଡ଼ିଆମାନେ ଭୋଗୁଛନ୍ତି ।
ଆୱାସ ସଫ୍ଟରେ ଦିଆଯାଇଥିବା ତଥ୍ୟରେ ବ୍ୟାପକ ଅନିୟମିତତା ହୋଇଛି । ଆୱାସ ସଫ୍ଟରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ପରମାନେଟ୍ ୱେଟିଂ ଲିଷ୍ଟରୁ ବାଦ୍ ଦିଆଯାଇଛି । ଅପରପକ୍ଷରେ ୨୦୦୫-୦୬ ମସିହାରୁ କାର୍ଯ୍ୟକାରୀ ହୋଇଥିବା ବହୁଚର୍ଚ୍ଚିତ ବସୁନ୍ଧରା ଯୋଜନାରେ ଗତ ୧୩ ବର୍ଷ ମଧ୍ୟରେ କେବଳ ୧୩ ପ୍ରତିଶତ ଭୂମିହୀନ ପରିବାରକୁ ଘରବାଡି ଜମି ଯୋଗାଇଛି। ଆହୁରି ୮୭ ପ୍ରତିଶତ ପରିବାର ବିନା ଜମିରେ ଆଜି ବି ନିଜର ଘର ତିଆରି କରି ପାରି ନାହାଁନ୍ତି । ଓଡ଼ିଶା ସରକାର କେବେ ସୁଦ୍ଧା ଭୂମିହୀନ ପରିବାର ଗୁଡିକୁ ଜମି ଦେବେ ବୋଲି ବିଜେପି ନେତ୍ରୀ ପ୍ରଶ୍ନ କରିଛନ୍ତି।
ପର ଘର ତିଅଣରେ ଅତିଥି ସତ୍କାର କରିବା ବିଜୁ ଜନତା ଦଳର ଦୈନାନ୍ଦିନ ବେପାର ବୋଲି ଲେଖାଶ୍ରୀ କହିବା ସହ କହିଛନ୍ତି ଯେ ଦୁଇ ଦୁଇ ଥର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଠାରୁ ତାଗିଦ ସତ୍ୱେ ବି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଲୋଗୋର ଟ୍ୟାମ୍ପରିଂ ଆଜି ବି କରାଯାଉଛି । ଏହି ଯୋଜନାକୁ ଆଜି ବି ବିଜୁ ପକ୍କା ଘରର ଷ୍ଟିକର ଲଗାଇ ନିଜ ଯୋଜନା ଭଳି ପ୍ରଦର୍ଶିତ କରାଯାଉଛି ବୋଲି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ।





