ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ ଆସୁଥିବା ଅର୍ଥକୁ ଠିକ୍ ସମୟରେ ଖର୍ଚ୍ଚ କରି ନ ଥିବାରୁ ହିମାଚଳ ପ୍ରଦେଶ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ହିମାଚଳ ପ୍ରଦେଶର ସୁଖୁ ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗର ନିର୍ଦ୍ଦେଶକ ପ୍ରତୀକ କୁମାର ସିଂହ ରାଜ୍ୟର ମୁଖ୍ୟ ସଚିବ ପ୍ରବୋଧ ସକ୍ସେନା ଏବଂ ଅର୍ଥ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି।
ଏହି ଚେତାବନୀରେ କୁହାଯାଇଛି ଯେ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରରୁ ଆସୁଥିବା ବଜେଟ୍ ଏବଂ ରାଜ୍ୟର ଅଂଶ ନିର୍ଦ୍ଧାରିତ ସମୟରେ ସିଙ୍ଗିଲ ନୋଡାଲ ଏଜେନ୍ସୀ (ଏସଏନଏ)ର ଆକାଉଣ୍ଟରେ ୩୦ ଦିନ ମଧ୍ୟରେ ପଠାଯିବା ଦରକାର। ଫଳରେ ଏହି ଅର୍ଥକୁ ଯୋଜନା ଅନୁଯାୟୀ ଖର୍ଚ୍ଚ କରାଯାଇପାରିବ। ଏହାଦ୍ବାରା ଯୋଜନା ଲୋକଙ୍କ ପାଖରେ ପହଞ୍ଚିବାରେ ଆହୁରି ସହଜ ହେବ। କିନ୍ତୁ ଯଦି ଏପରି ନହେଉଛି ତେବେ ବାର୍ଷିକ ସାତ ପ୍ରତିଶତ ଦରରେ ଜରିମାନା ସୁଧ ଦେବାକୁ ହେବ। ଏହି ନୂଆ ବ୍ୟବସ୍ଥା ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ।
ସିଙ୍ଗିଲ ନୋଡାଲ ଏଜେନ୍ସୀ ଖାତାରେ କେନ୍ଦ୍ରରୁ ଆସିଥିବା ଟଙ୍କା ଜମା କରିବାର ଅବଧି ଏହା ପୂର୍ବରୁ ୨୧ ଦିନ ଥିଲା ଯେତେବେଳେକି ରାଜ୍ୟ ବଜେଟ୍ ଅବଧି ୪୦ ଦିନ ଥିଲା। କିନ୍ତୁ ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ଅର୍ଥକୁ ଜମା କରିବାର ଅବଧିକୁ ୩୦ ଦିନ କରାଯାଇଛି। ଆହୁରି ମଧ୍ୟ ଚେତାବନୀ ଦିଆଯାଇଛି ଯେ ଏହି ସମୟ ସୀମା ପରେ ଯେତେ ଦିନ ଧରି ରାଜ୍ୟ ସରକାର ଅର୍ଥକୁ ନିଜ ପାଖରେ ଅଟକାଇ ରଖିବେ ସେତେ ସମୟ ପାଇଁ ସାତ ପ୍ରତିଶତ ବାର୍ଷିକ ସୁଧ ଆଧାରରେ ଜରିମାନା ଦେବାକୁ ହେବ।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ସହ ଅନେକ ରାଜ୍ୟର ଏହା ରିପୋର୍ଟ ହୋଇଥିଲା ଯେ, କେନ୍ଦ୍ରରୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଠିକ୍ ସମୟରେ ଖର୍ଚ୍ଚ ହେଉନାହିଁ। ଏମିତିରେ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏହି ନୂଆ ବ୍ୟବସ୍ଥାରେ ଚେତାବନୀ ଦିଆଯାଇଛି ।





