ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ଆଜି ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଛି। ସେପଟେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଯେ, ସବୁବେଳେ କେନ୍ଦ୍ର ସରକାର ଯେପରି ତେଲ ଓ ଗ୍ୟାସ୍ ରେଟ୍ ବଢ଼ାଇଲେ, ହାଣ୍ଡିଶାଳକୁ ମାଡ଼ ମାରିବା ଓ ଗୃହିଣୀମାନଙ୍କୁ ହଇରାଣ କରିବା ଭଳି। ଜାଳେଣି ବଦଳରେ ଗ୍ୟାସ ଦେବାର ଲୋଭ ଦେଖାଇଥିଲେ କେନ୍ଦ୍ର ସରକାର, ହେଲେ ଏବେ ଗ୍ୟାସ ରେଟ ଆକାଶ ଛୁଆଁ। ଯିଏ ଗ୍ୟାସ ଆଣିଛନ୍ତି ଆଉ ଭରି ପାରୁ ନାହାଁନ୍ତି।
ଏଭଳି ଅସୁବିଧାରେ ମାଆ ଭଉଣୀମାନେ ପଡିଛନ୍ତି ଯେ ଗ୍ୟାସ ଭରିବା ସେମାନଙ୍କ ପାଇଁ କଷ୍ଟରେ ହେଉଛି। ଏହାର ଦର ବାରମ୍ବାର ବୃଦ୍ଧି ପାଉଛି। ମାଆମାନେ ରୋଷେଇ କରିବାରେ ହଇରାଣ ହେଉଛନ୍ତି। ବିଜେପି ଯେଉଁ ଫମ୍ପା ଆୱାଜ ଦେଇଥିଲେ ଯେ ଆମେ ସମସ୍ତଙ୍କୁ ଧୂଆଁ ଶୂନ୍ୟ ଇନ୍ଧନ ଯୋଗାଇବୁ, ତାହା ଆଜି ପ୍ରହସନ ପାଲଟିଛି। ଆମେ ସବୁବେଳେ ଏହାର ପ୍ରତିବାଦ କରି ଆସିଛୁ ଓ କରିବୁ ବୋଲି ପ୍ରମିଳା କହିଛନ୍ତି।
ସେହିପରି ବିଜେପି ଯୁବ ମୋର୍ଚ୍ଚା ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ପୋଲିସ ଏକାପାଖିଆ କାମ କେବେ ବି କରେନି। ଯେତେବେଳେ ବି ଆନ୍ଦୋଳନ ହୁଏ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଏ। ଯାହା ଜୟ ନାରାୟଣ ମିଶ୍ର ସବୁବେଳେ ଆକ୍ଷେପ କରନ୍ତି। ସରକାର ଯାହା ଭଲ କାମ କଲେ ବି ତାଙ୍କୁ ଦେଖା ଯାଏନି। ଗତକାଲି ଘଟଣା ବିଜେପି ନାଁ ଓ ଦଳର ପ୍ରଚାର ପ୍ରସାର ପାଇଁ ଏମିତି କରିଛନ୍ତି।





