ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହାର ଶେଷ ନିଷ୍ପତ୍ତି ରାଜ୍ୟ ସରକାର ଓ ହାଇକୋର୍ଟଙ୍କୁ ନେବାର ଅଛି। କେନ୍ଦ୍ର ସରକାର ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମିର ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏହା ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ ଏବଂ ସଂସଦରେ ଏହାକୁ ନେଇ ଓଡ଼ିଶା ସାଂସଦମାନଙ୍କ ସହ ଆଲୋଚନା କରିସାରିଛି।
ସେ ଆହୁରି କହିଛନ୍ତି, ଦେଶରେ ୪ କୋଟି ୯୦ ଲକ୍ଷ ମାମଲା ପଡ଼ିରହିଛି। ଏଗୁଡ଼ିକର ସମାଧାନ କିପରି ହେବ ସେ ନେଇ ପଦକ୍ଷେପ ନିଆଯାଉଛି କାର୍ଯ୍ୟ କରାଯାଉଛି ନହେଲେ ଏହାର ସଂଖ୍ୟା ୫ କୋଟି ଅତିକ୍ରମ କରି ଅଧିକ ହୋଇଯିବ। ଏହାର ସମାଧାନ ପାଇଁ ଟେକ୍ନୋଲୋଜି ଜରୁରୀ। ଯେଉଁଥିପାଇଁ ବଜେଟ ରେ ଇକୋଟ ଫେଜ୍ ୩ ପାଇଁ ୭୦୦୦ କୋଟି ମଞ୍ଜୁରି ଦିଆଯାଇଛି। ଏହାଦ୍ବାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର୍ ଲେସ ହେବା। ଏହା ନ ହୋଇଥିଲେ ବର୍ଷ ବର୍ଷ ପର୍ଯ୍ୟନ୍ତ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିବ। ଦେଶରେ କିଛି ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ ଦେଶ ବିରୋଧୀ ଓ ନ୍ୟାୟପାଳିକାର ଅପବ୍ୟବହାର ଭଳି କାର୍ଯ୍ୟ କରିଥାନ୍ତି। ବେଶୀ ନୁହେଁ, ଏମାନେ ଗୋଟେ ଗୋଷ୍ଠୀ ଅଛନ୍ତି। ଯେଉଁମାନଙ୍କ ଲିଙ୍କ ବିଦେଶ ଓ ଦେଶ ବିରୋଧୀ ଶକ୍ତି ସହିତ ଅଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଆୟୋଜିତ ୯ଟି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ଆଇନ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେବା ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କେନ୍ଦ୍ର ସରକାରୀ ପରାମର୍ଶଦାତାମାନଙ୍କର ପ୍ରଥମ ସମ୍ମିଳନୀକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଉଦଘାଟନ କରିଛନ୍ତି। ଏଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଏବଂ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଶ୍ରୀମତୀ ବି.ଭି. ନାଗରଥନା ପ୍ରମୁ୍ଖ ଯୋଗ ଦେଇଛନ୍ତି। ଏଥିରେ ଆଇନଗତ ସମସ୍ୟାକୁ ନେଇ ଆଲୋଚନା ହେଉଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ହେଉଛି।





