ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ସୂଚନା ମିଳିଛି। ଏହି ଭୟଙ୍କର ବିସ୍ଫୋରଣ ରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣହାନି ଘଟିଛି। ଏହାଛଡ଼ା ୩ ଗୁରୁତର ଥିବା ଜଣାଯାଇଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାର ପ୍ରୟାସ ଜାରି ରଖିଛନ୍ତି। ତେବେ ଇତିମଧ୍ୟରେ ଉକ୍ତ ଅଞ୍ଚଳର ୪ଟି ଘର ପୋଡ଼ିଯାଇଥିବାର ଖବର ମିଳିଛି। ତେଣେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଛି। ଏଠାରେ ଦୋଳ ମେଳଣ ସମୟରେ ବାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି କାରଣରୁ ବହୁ ସଂଖ୍ୟରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି।





