ସ୍ବାସ୍ଥ୍ୟ କ୍ଷେତ୍ରରେ ଅନ୍ୟ ଦେଶଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଭାରତ ଉଦ୍ୟମ ଜାରି ରଖିଛି: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ସୋମବାର ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ ଉପରେ ଆୟୋଜିତ ୱେବନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସମନ୍ବିତ ଆଭିମୁଖ୍ୟ ଅଭାବ ଓ ଦଶନ୍ଧି ଦଶନ୍ଧି ଧରି ସେହି ଅବସ୍ଥା ଅପରିବର୍ତ୍ତିତ ରହିବାରୁ ଭାରତର ସ୍ବାସ୍ଥ୍ୟ ସେକ୍ଟର୍‌ ନଷ୍ଟ ହୋଇଯାଇଥିଲା। କିନ୍ତୁ, ସେ ଅବସ୍ଥା ସୁଧାରିବା ପାଇଁ ଆମ ସରକାର ଏହି କ୍ଷେତ୍ରକୁ କେବଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ସୀମିତ ନ ରଖି ସରକାରର ସାମଗ୍ରିକ ଆଭିମୁଖ୍ୟରେ ରଖିଛି । ଏହି କ୍ଷେତ୍ରରେ ଉଦ୍ୟୋଗିତାକୁ ପ୍ରୋତ୍ସାହନ ଦେବା ନିମନ୍ତେ ତାଙ୍କ ସରକାର ଗ୍ରହଣ କରିଥିବା କେତେକ ପଦ‌େକ୍ଷେପ କଥା ଉଲ୍ଲେଖ କରି ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଆଉ ବୈଷୟିକ ଜ୍ଞାନକୌଶଳ ଆମଦାନି ନ କରି ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଆମ ଉଦ୍ୟୋଗୀମାନେ ସୁନିଶ୍ଚିତ ହେବା ଉଚିତ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ପିଏମ ଆୟୁଷ୍ମାନ ଭାରତ’ ସ୍ବାସ୍ଥ୍ୟ ଭିତ୍ତିଭୂମି ମାଧ୍ୟମରେ ଛୋଟ ସହରରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିଛି। ଛୋଟ ସହରରେ ନୂତନ ଡାକ୍ତରଖାନା ନିର୍ମାଣ ସହିତ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏକ ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ମଧ୍ୟ ବିକାଶିତ ହେଉଛି। ଦେଶରେ ଭଲ ଏବଂ ଆଧୁନିକ ସ୍ବାସ୍ଥ୍ୟ ଭିତ୍ତିଭୂମି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶରେ ଦେଢ଼ ଲକ୍ଷ ଲକ୍ଷ ସ୍ବାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ମଧୁମେହ, କର୍କଟ ଏବଂ ହୃଦୟ ସମ୍ବନ୍ଧୀୟ ଗମ୍ଭୀର ସମସ୍ୟାର ସ୍କ୍ରିନିଂ ପାଇଁ ଏହି କେନ୍ଦ୍ରଗୁଡ଼ିକରେ ସୁବିଧା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଏବେ ପ୍ରାୟ ନଅ ହଜାର ଜନ ଔଷଧି କେନ୍ଦ୍ର ଅଛି। ଏଠାରେ ବଜାର ଦରଠାରୁ ବହୁତ ଶସ୍ତାରେ ଔଷଧ ଉପଲବ୍ଧ ହେଉଛି। ଏହାଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇ ପାରୁଛି। ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହିତ ଦେଶର କୋଟି କୋଟି ଲୋକଙ୍କ ଚିକିତ୍ସା ପାଇଁ ପ୍ରାୟ ୮୦ ହଜାର କୋଟି ଟଙ୍କା ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯାଉଛି। ବିଦେଶୀ ଦେଶ ଉପରେ ଭାରତର ନିର୍ଭରଶୀଳତାକୁ କମ କରିବାକୁ ଆମେ ନିରନ୍ତର ଚେଷ୍ଟା କରୁଛୁ। ଭାରତରେ ଚିକିତ୍ସା ସୁଲଭ କରିବା ଆମ ସରକାରଙ୍କ ପ୍ରାଥମିକତା ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Posts