ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଗାଁ ସଭାପତିଙ୍କୁ ହତ୍ୟା କରାଯାଇଛି । ବିଷ ଇଞ୍ଜେକସନ୍ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ହାତଲେଖା ବେନାମୀ ଚିଠି ମଧ୍ୟ ଜବତ ହୋଇଛି।
ସୂଚନାଯୋଗ୍ୟ ଯେ, ଗାଁ ସଭାପତି ବାଳକୃଷ୍ଣ ନାୟକ ଶନିବାର ରାତିରେ ନିଜ ଘରଠାରୁ କିଛି ଦୂରରେ ଥିବା ଏକ କୁକୁଡ଼ା ଫାର୍ମରେ ଶୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଳକୃଷ୍ଣଙ୍କୁ ଧରି ଏକ ଇଞ୍ଜେକସନ ଫୋଡ଼ିଦେଇ ପଳାଇ ଯାଇଥିଲେ । ଏହାପରେ ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସି ତାଙ୍କୁ କିଛି ଫୋଡି ଦିଆଯାଇଥିବା କହିବା ସହ ବାନ୍ତି କରିଥିଲେ । ଏହାପରେ ସେ ଅଚେତ୍ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ପ୍ରଥମେ ଅନୁଗୋଳ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ସ୍ଥାନାନ୍ତର କରିଥିଲେ । ହେଲେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାପରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନା ଅଣାଯାଇଥିଲା । ତେବେ ଫାର୍ମରେ ଶୋଇଥିବା ସ୍ଥାନରୁ ପରିବାର ଲୋକେ ଏକ ହାତଲେଖା ବେନାମୀ ଚିଠି ପାଇଥିଲେ । ଯେଉଁଥିରେ ଲେଖାଅଛି ଯେ, ‘ସଭାପତି ମହୋଦୟ, ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା, ଆଜି ପୁରଣ ହେଲା ।’ ଏହାଛଡା ଘଟଣାସ୍ଥଳରୁ ଦୁଇଟି ସିରିଞ୍ଜ ମଧ୍ୟ ମିଳିଛି । ତେବେ କିଏ ଓ କାହିଁକି ଏଭଳି ଅଭିନବ ଉପାୟରେ ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।





