ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ବ୍ୟବସ୍ଥା

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି । ହବରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ମଧ୍ୟରେ ରହିଛି। ତେବେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ କପି ରୋକିବା ଲାଗି ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଚଳିତ ପରୀକ୍ଷାରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଅଚାନକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ। ସ୍କ୍ୱାଡ୍ ପରୀକ୍ଷା କେନ୍ଦ୍ରକୁ ଯିବା ନେଇ କାହାରିକୁ ପୂର୍ବରୁ ସୂଚନା ଦିଆଯିବ ନାହିଁ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଥିବା ମାଟ୍ରିକ ବୋର୍ଡ ପରୀକ୍ଷା ୧୭ ତାରିଖରେ ସରିବ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗା ଯାଇଛି । ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ହବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଲାଗି ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚାପମୁକ୍ତ ହୁଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ । ଏହା ଜୀବନର ଶେଷ ପରୀକ୍ଷା ନୁହେଁ, ତେଣୁ ଚାପମୁକ୍ତ ରହି ପରୀକ୍ଷା ଦେବାକୁ ସେ କହିଛନ୍ତି।

Related Posts