ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଜଣେ ପାଗଳ ନୁହେଁ। ଝାରସୁଗୁଡା ଜେଏମଏଫସି କୋର୍ଟ ଏଭଳି ରାୟ ଶୁଣାଇବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି ଯେ, ନବ ଦାସ୍ ହତ୍ୟା ଘଟଣାରେ ଷଡ଼ଯନ୍ତ୍ର ଥିବା ମୂଳରୁ ଆମେ କହି ଆସିଛୁ। କୋର୍ଟଙ୍କ ରାୟ ଆସିବା ପରେ ଓଡ଼ିଶା ପୋଲିସ ଆଉ ତଦନ୍ତ କରିବାର ଯଥାର୍ଥତା ନାହିଁ।
ସରକାର ଏହି ମାମଲାରେ ଡାହାଣୀ ହୋଇ ଲାଗୁଛନ୍ତି, ପୁଣି ଗୁଣିଆ ହୋଇ ଝାଡୁଛନ୍ତି। ପୁରା ଘଟଣାକୁ ସରକାର ଡାହାଣୀ ଗୁଣିଆ କାହାଣୀ କରି ସାରିଲେଣି। ଜିଲ୍ଲା କୋର୍ଟ ଯେଉଁ ରାୟ ଦେଇଛନ୍ତି ଏହାପରେ ମାମଲା ପୂରା ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଆଉ କ୍ରାଇମବ୍ରାଞ୍ଚ ତଦନ୍ତ କରିବାର ଆଉ କିଛି ଯଥାର୍ଥତା ନାହିଁ ତେଣୁ ଅବିଳମ୍ବେ ଘଟଣାର ତଦନ୍ତଭାର ସିବିଆଇ କୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି। ରାଜ୍ୟ ସରକାର ଅଭିଯୁକ୍ତକୁ ପାଗଳ ବୋଲି କହି ଚରିଥାର୍ଥ କରିବାକୁ ପ୍ରୟାସ କରୁଥିଲେ। ଯାହା ଫେଲ୍ ମାରିଛି। ଏହି ଘଟଣାରେ ତଦନ୍ତକାରୀ ଟିମ୍ କେବଳ ଗୋପାଳ ଉପରେ ଫୋକସ କରିଛନ୍ତି। କିନ୍ତୁ ଷଡ଼ଯନ୍ତ୍ର ଦିଗ ଉପରେ ନିରବ ରହିଛି। ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି ନରସିଂହ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ଦୌରାଜଜ ଟଙ୍କା ରାୟରେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ମେଡିକାଲ ବୋର୍ଡ ରିପୋର୍ଟ କହୁଛି, ଅଭିଯୁକ୍ତ ପାଗଳ ନୁହେଁ। ତଦନ୍ତ ବେଳେ ସେ ଆଖିରେ ଆଖି ମିଶାଇ ତଦନ୍ତକାରୀ ଟିମକୁ ସାମ୍ନା କରିଛି। ଗୋପାଳର ମାନିସକ ଅବସ୍ଥା ମଧ୍ୟମ ଧରଣର ରହିଛି।
ସେପଟେ ଏହି ମାମଲାରେ ଗୋପାଳର ପଲିଗ୍ରାଫ, ଏଲଭିଏ ସହିତ ନାର୍କୋ ଟେଷ୍ଟ କରାଇଛି। ଗୁଜରାଟ ଗାନ୍ଧୀନଗରରେ ଥିବା ସାଇଣ୍ଟିଫିକ୍ ଟିମ୍ ଗୋପାଳର ପଲିଗ୍ରାଫ, ନାର୍କୋ ପରୀକ୍ଷା କରିଛନ୍ତି। ହେଲେ ଏଯାବତ ହତ୍ୟାର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି। ଗୋପାଳ ଏବେ ଚୌଦ୍ୱାର ଜେଲରେ ରହିଛି। ନିକଟରେ କୋର୍ଟ କ୍ରାଇମବ୍ରାଞ୍ଚର ସଂଶୋଧିତ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ଯେଉଁଥିରେ ଗୋପାଳର ମାନିସକ ପରୀକ୍ଷା କରିବାକୁ ବେଙ୍ଗାଲୁରୁ ନିମହାନ୍ସ ନେବାକୁ କ୍ରାଇମବ୍ରାଞ୍ଚ ଦାବି କରିଥିଲା।





