ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା; ଏସସିବିରେ ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏହି ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶରୀର ୭୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ିଯାଇଥିଲା। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଭୂଷଣ୍ଡପୁର ଗାଁରେ ଗତକାଲି ଏକ ଘର ଭିତରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ୮ଜଣ ଘର ଭିତରେ ଥିଲେ। ଅଗ୍ନିଶମ ବାହିନୀ ୮ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣ ଗୁରୁତର ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

Related Posts