ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ତଥା ଶାସକ ଦଳକୁ ସମାଲୋଚନା କରିବା ପରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗ କଥା କହି ଟାର୍ଗେଟ୍ କରିଥିଲେ। ଏହାପରେ ଏବେ ବିଜେଡି ବିଜେପି ମଧ୍ୟରେ ଏକ ପ୍ରକାର ଟ୍ବିଟ୍ ୱାର ଦେଖିବାକୁ ମିଲିଛି। ବବିଙ୍କ ଟ୍ବିଟର କଡା ଜବାବ ଦେଇଛନ୍ତି ବିଜେପିର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ।
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରଣବ ଟ୍ବିଟ୍ କରି କହିଥିଲେ ଯେ, ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଅପରାଧୀ ପ୍ରବଣ ଯୁବକ। ରାଜଧାନୀରେ ବିକ୍ଷୋଭ ନାଁରେ ଇରାଶିଷଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଆପଣ ଯାହାଙ୍କୁ ବିରୋଧୀଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ ।ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି କହି ପ୍ରଣବ ଟାର୍ଗେଟ କରିଥିଲେ।
ଏହାର ଜବାବରେ ସିରିଜ ଟ୍ବିଟ୍ କରି ବିଜେପି ନେତା ତଥା ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ବବି ଭାଇ, ଆପଣଙ୍କ ପୂଜ୍ୟ ପିତା ଶ୍ରୀ ଅଶୋକ ଦାସ ଛାତ୍ରାବସ୍ଥାରେ ଯେତେବେଳେ ରାଜନୀତିକୁ ଆସିଥିଲେ, ସେତେବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ତତ୍କାଳୀନ ସରକାର ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ କରିଥିଲା । ତାମାନେ ସେ କଣ ଅପରାଧି ହୋଇଯାଇଥିଲେ ? ଏ ବିଷୟରେ ଆପଣ ଘରର ଗୁରୁଜନମାନଙ୍କୁ ପଚାରି ବୁଝିଲେ ଉଚିତ୍ ହେବ। ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରାଜନୈତିକ ସଂଘର୍ଷ ବିନା କ୍ଷମତାକୁ ଉପଭୋଗ କରୁଛନ୍ତି।
ମୂଳ କଥାର ଉତ୍ତର ନଦେଇ ଯେଉଁ କଥା ଗୁଡିକ ପ୍ରଣବ କହିଛନ୍ତି ଓଡିଶାବାସୀ ତା’ର ସତ୍ୟତା ଭଲ ଭାବେ ଜାଣିଛନ୍ତି । ବିରୋଧୀ ଦଳର ନେତା, ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ବିଜେଡି ସରକାର ମିଛ କେସରେ ଫସାଇ ଅପରାଧୀ କହୁଛନ୍ତି । ବିଜେଡି ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା, ଧର୍ଷଣ, ଡକାୟତୀ, ଅପହରଣ ଭଳି ସଙ୍ଗୀନ ଅପରାଧୀକ ମାମଲା ରହିଛି । ଏ ବାବଦରେ କିଛି କହୁନାହାନ୍ତି କାହିଁକି ବୋଲି ସୂରଜ ସୂର୍ଯ୍ୟବଂଶୀ ପ୍ରଣବଙ୍କୁ ପ୍ରଶ୍ନ କରିଛନ୍ତି।
ଏହସାହିତ ସେ କହିଛନ୍ତି ଯେ, ସମଗ୍ର ଓଡିଶାରେ ଡ୍ରଗସ/ଧଳାଜହର ଆଜି ଏକ ଚିନ୍ତାର କାରଣ ହୋଇଛି, ଯେଉଁଥିରେ ଆପଣଙ୍କର ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଗୃହ ବିଭାଗରେ ଥିବା ପୋଲିସର କିଛି ବଡ ଅଧିକାରୀମାନଙ୍କ ଛତ୍ରଛାୟାରେ ଧଳାଜହର କାରବାର ଆଜି ବଢି ଚାଲିଛି କହି ସୁରଜ ବବିଙ୍କୁ କଡା ଟାର୍ଗେଟ କରିଛନ୍ତି ।





